ମହିଳାଙ୍କ ଅଜାଣତରେ ଫଟୋ ଉଠାଇ ଛେଚା ଖାଇଲେ ଯୁବକ

ଉଦଳା,୨୪।୧(ଡି.ଏନ.ଏ.): ଜନୈକା ମହିଳାଙ୍କ ଅଜାଣତରେ ତାଙ୍କ ଫଟୋ ଉଠାଇବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଧରାପଡ଼ିବା ପରେ ଯିଏ ଯେମିତି ପାରିଲା ବାଡ଼େଇ ଚାଲିଲା। ନିସ୍ତୁକ ମାଡ଼ ମାରିସାରିବା ପରେ ଲୋକେ ତାଙ୍କୁ ପୋଲିସ ଜିମା ଦେଇଥିଲେ। ପରେ ଆପୋଷ ସମାଧାନ ଦ୍ୱାରା ଥାନାରେ ଅଣ୍ଡରଟେକିଂ ଦେଇ ସମ୍ପୃକ୍ତ ଯୁବକ ଛାଡ଼ ପାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ଉଦଳା ମେନ୍‌ ମାର୍କେଟରେ ଶୁକ୍ରବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ବଜାର ମଝିରେ ସ୍ଥାନୀୟ ଲୋକେ ତାଙ୍କୁ ଘେରି ମାଡ଼ ମାରୁଥିବା ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଉଦଳା ମେନ୍‌ ମାର୍କେଟର ବାସନ୍ତୀ ମଣ୍ଡପ ଛକ ନିକଟସ୍ଥ ଦୋକାନକୁ ଜଣେ ମହିଳା କିଛି ଜିନିଷ କିଣିବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଦୋକାନ କରିଥିବା ଜଣେ ଯୁବକ ମହିଳାଙ୍କ ଅଜାଣତରେ ମୋବାଇଲରେ ତାଙ୍କ ଫଟୋ ଉଠାଇଥିଲେ। ସ୍ଥାନୀୟ ଲୋକେ ଏହା ଜାଣି ବିରୋଧ କରିଥିଲେ । ପରେ ସମ୍ପୃକ୍ତ ଯୁବକଙ୍କୁ ଲୋକେ ଧରି ନିସ୍ତୁକ ମାଡ଼ ମାରିବା ସହିତ ଘୋଷାରି ଥାନାକୁ ନେଇଥିଲେ। ପୋଲିସ ଉକ୍ତ ଯୁବକଙ୍କ ମୋବାଇଲକୁ ଯାଞ୍ଚ କରିବାରୁ ଅନେକ ମହିଳା ଏବଂ ଯୁବତୀଙ୍କର ଫଟୋ ଉଠାଯାଇଥିବା ଜାଣିବାକୁ ପାଇଥିଲା। ତାଙ୍କ ଦୋକାନକୁ ଆସୁଥିବା କିମ୍ବା ଦୋକାନ ସାମ୍ନାରେ ଯାତାୟାତ କରୁଥିବା ମହିଳା ଏବଂ ଯୁବତୀଙ୍କ ଫଟୋ ଉଠାଇ ସେ ନିଜ ମୋବାଇଲରେ ରଖିଥିବା ଜଣାପଡ଼ିଥିଲା। ଏ ନେଇ ପୋଲିସ୍‌ ତଦନ୍ତ ଜାରି ରଖିଥିବା କହିଛି।