Categories: ଫୁରସତ

କଦଳୀ ପତ୍ରରେ ଅଭିନେତ୍ରୀଙ୍କ ଅବିକଳ ଡ୍ରେସ୍‌ ତିଆରି କରନ୍ତି ଏହି ଯୁବକ, ସୋସିଆଲ ମିଡିଆରେ ହେଉଛି ଟ୍ରେଣ୍ଡ୍‌

ସୋସିଆଲ ମିଡିଆ ଆସିବା ପୂର୍ବରୁ ଅଧିକାଂଶ ଲୋକଙ୍କଠାରେ ଭରପୂର ପ୍ରତିଭା ଥିଲା ମାତ୍ର ପ୍ଲାଟ୍‌ଫର୍ମର ଅଭାବ ଯୋଗୁ ଲୋକଲୋଚନକୁ ଆସି ପାରୁ ନ ଥିଲେ। ବର୍ତ୍ତମାନ ସୋସିଆଲ ମିଡିଆର ବହୁଳ ବ୍ୟବହାର ଯୋଗୁ ଏସବୁ ପ୍ରତିଭା ଏବେ ପ୍ରସ୍ଫୁଟିତ ହେବାରେ ଲାଗିଛି। କହିବାକୁ ଗଲେ ସୋସିଆଲ ମିଡିଆ ଯେମିତି ପ୍ରତିଭାର ମାଧ୍ୟମ ପାଲଟିଛି। ଏଥିରେ ଲୋକେ ସବୁକିଛି ଶେୟାର କରୁଛନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ସରବଜିତ୍‌ ସରକାର ଓରଫ୍‌ ନୀଲ ରଣାଓ୍ବତ୍‌। ତ୍ରିପୁରାର ଏକ ଛୋଟ ଗାଁରେ ନୀଲଙ୍କ ଜନ୍ମ।

ସେ ବଲିଉଡ୍‌ର ବଡ଼ବଡ଼ ଅଭିନେତ୍ରୀମାନଙ୍କ ସୁନ୍ଦର ସୁନ୍ଦର ଡ୍ରେସ୍‌ ଦେଖି ନିଜ ଆଇଡିଆରେ ତିଆରି କରିଥାନ୍ତି। ତା’ ପୁଣି ଆଉ କେଉଁଥିରେ ନୁହେଁ, ଗଛର ଡାଳପତ୍ରରେ ତିଆରି କରିଥାନ୍ତି। ଅବିକଳ ସେହି ଡ୍ରେସ୍‌ ପରି। ଯାହାକୁ ଲୋକେ ଏବେ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରୁଛନ୍ତି। ନୀଲ୍‌ କୁହନ୍ତି, ନୀଳ ରଙ୍ଗ ଏବଂ କଙ୍ଗନା ରଣାଓ୍ବତ ତାଙ୍କର ବହୁ ପସନ୍ଦ। ତେଣୁ ସେ ତାଙ୍କ ନାମ ସରବଜିତ୍‌ ସରକାରରୁ ନୀଲ୍‌ ରଣାଓ୍ବତ୍‌କୁ ପରିବର୍ତ୍ତନ କରିଦେଇଛନ୍ତି।

ଏକ ସାକ୍ଷାତକାରରେ ନୀଲ୍‌ କହିଛନ୍ତି, ତାଙ୍କୁ ଫ୍ୟାଶନ ଦୁନିଆ ବହୁତ ପସନ୍ଦ। କିନ୍ତୁ ତାଙ୍କ ପରିବାର ବହୁ ଗରିବ ହୋଇଥିବାରୁ ସେ ଫ୍ୟାଶନ ଡିଜାଇନ କରିପାରନ୍ତି ନାହିଁ। କିନ୍ତୁ ସେ ବିଭିନ୍ନ ଗଛର ଡାଳ ପତ୍ରକୁ ବ୍ୟବହାର କରି ଏପରି ଡ୍ରେସ୍‌ ସବୁ ତିଆରି କରିଥାନ୍ତି। ବିଶେଷକରି ସେ କିଆରା ଆଡଭାନୀ, ଦୀପିକା ପାଦୁକୋନ, ପ୍ରିୟଙ୍କା ଚୋପ୍ରା, କଙ୍ଗନା ରଣାଓ୍ବତ୍‌, କୃତି ସେନନଙ୍କ ପରି ଅଭିନେତ୍ରୀଙ୍କ ଡ୍ରେସ୍‌କୁ ନିଜ ବୁଦ୍ଧିରେ କଦଳୀ ପତ୍ରରେ ତିଆରି କରିଥାନ୍ତି। ଏହି ଡ୍ରେସ୍‌କୁ ଏବେ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।

ନୀଲଙ୍କ କହିବା କଥା, ସେ ଧିରେ ଧିରେ ଲୋକପ୍ରିୟ ହେବାରୁ ବର୍ତ୍ତମାନ ତାଙ୍କୁ ବଲିଉଡ୍‌ର ଟପ୍‌ ଡିଜାଇନର୍ସଙ୍କ ସହଯୋଗ ବି ମିଳୁଛି। ସେ କୁହନ୍ତି, ପ୍ରଥମେ ପ୍ରଥମେ ତାଙ୍କ ପରିବାର ଲୋକେ ଏନେଇ ତାଙ୍କୁ ଖୁବ୍‌ ରାଗୁଥିଲେ। ଯେତେବେଳେ ମୁଁ ଦିଲ୍ଲୀରେ ଅବୁ ଜାନୀ ଏବଂ ସନ୍ଦୀନ ଖୋସଲାଙ୍କ ପାଇଁ ର଼୍ୟାମ୍ପ୍‌ ଓ୍ବାକ୍‌ କଲି ସେତେବେଳେ ସମସ୍ତଙ୍କ ମୁହଁ ବନ୍ଦ ହୋଇଗଲା। ସେ କୁହନ୍ତି, ମୋର ପୋଷାକ ତିଆରି କରିବା ଏତେ ନିଶା ଯେ, ମୁଁ ଘରର କୌଣସି ସାମଗ୍ରୀକୁ ବାଦ୍‌ ଦିଏ ନାହିଁ।

Share