ମଜା ଆସିଲା ନାହିଁ ବୋଲି ୩.୫ କୋଟି ଟଙ୍କାର ଛାକିରି ଛାଡିଦେଲେ ଯୁବକ

ବାର୍ଷିକ ଦରମା ୩.୫ କୋଟି ଟଙ୍କା। ପ୍ରତିଦିନ ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି। ତଥାପି ଏମିତି ଚାକିରି ପସନ୍ଦ ନ ଆସିବାରୁ ଆମେରିକାର ନେଟଫ୍ଲିକ୍ସରେ କାର୍ଯ୍ୟ କରୁଥିବା ଜଣେ ଇଞ୍ଜିନିୟର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମାଇକେଲ ଲିନ ନାମକ ଏହି ଯୁବକ ଜଣଙ୍କ ୨୦୧୭ ଠାରୁ ନେଟଫ୍ଲିକ୍ସର ଜଣେ ବରିଷ୍ଠ ସଫ୍ଟୱେୟାର୍‌ ଇଞ୍ଜିନିୟର ଥିଲେ। ଏହାପୂର୍ବରୁ ସେ ଆମାଜନରେ କାମ କରୁଥିଲେ। ସେ ଲିଙ୍କଡିନରେ ଲେଖିଛନ୍ତି, ମୁଁ ଭାବିଥିଲି ଯେ, ମୁଁ ନେଟଫ୍ଲିକ୍ସରେ ଚାକିରି ଛାଡିବି ନାହିଁ। ମୁଁ ବାର୍ଷିକ ୪,୫୦,୦୦୦ ଡଲାର (୩.୫ କୋଟି ଟଙ୍କା) ପାଉଥିଲି। ମାଗଣା ଖାଦ୍ୟ ଏବଂ ଅସୀମିତ ଛୁଟି ଥିଲା। ମୋଟାମୋଟି ଭାବେ, ପ୍ରତି ମାସରେ ୨୯ ଲକ୍ଷ ଟଙ୍କା ଦରମା ମିଳୁଥିଲା। ମେ ୨୦୨୧ରେ ଚାକିରି ଛାଡିବା ପରେ ମୋତେ ସମସ୍ତେ ପାଗଳ କହୁଥିଲେ। ପ୍ରଥମ ଆପତ୍ତି ମୋର ମାତାପିତା ଉଠାଇଥିଲେ। ତାଙ୍କ ପାଇଁ, ମୋର ଚାକିରି ଛାଡିବା କଠିନ ପରିଶ୍ରମର ଅପଚୟ ଭଳି ଥିଲା। ଏହା ପରେ ମୋର ଗୁରୁ ମଧ୍ୟ ଆପତ୍ତି ଉଠାଇଥିଲେ। ହାତରେ ଆଉ ଏକ ଚାକିରି ନ ହେବା ପର୍ଯ୍ୟନ୍ତ ମୁଁ ଚାକିରି ଛାଡି ନ ଥା’ନ୍ତି ବୋଲି ଗୁରୁ କହିଥିଲେ। ଚାକିରି ଛାଡିବା ପୂର୍ବରୁ ତିନି ଦିନ ଚିନ୍ତା କରିଥିବା କହନ୍ତି ଲିନ୍‌।
ଲିନ୍‌ କହିଛନ୍ତି, ମୁଁ ପ୍ରାରମ୍ଭିକ ବର୍ଷରେ ବହୁତ କିଛି ଶିଖିଲି। କିନ୍ତୁ ବର୍ଷ ବର୍ଷ ଧରି ଚାକରି କରିବା ପରେ ଏଥିରୁ ଚମକ କ୍ଷୀଣ ହେବାକୁ ଲାଗିଲା। ଆଉ ମଜା ଆସିଲା ନାହିଁ। ମୁଁ ଏକ ବଡ ପ୍ରଭାବ ସୃଷ୍ଟି କରିବାକୁ ଚାହୁଁଥିଲି। ମୋ ପାଇଁ, ଇଞ୍ଜିନିୟରିଂ କାର୍ଯ୍ୟ ଅପେକ୍ଷା କ୍ୟାରିୟର ଲକ୍ଷ୍ୟ ଅଧିକ ପ୍ରାସଙ୍ଗିକ ଥିଲା। ମୁଁ ପ୍ରଡକ୍ଟ ମ୍ୟାନେଜର ହେବାକୁ ଚାହୁଁଥିଲି। ନେଟଫ୍ଲିକ୍ସରେ ଦୁଇ ବର୍ଷ ନେଟୱାର୍କିଂ କରି ପ୍ରଡକ୍ଟ ମ୍ୟାନେଜର ଭୂମିକା ପାଇଁ ଆବେଦନ କରିଥିଲି। କିନ୍ତୁ କିଛି ହେଲା ନାହିଁ। ସେଥିପାଇଁ ବାଧ୍ୟ ହୋଇ ଚାକିରି ଛାଡିଲି।
ନେଟଫ୍ଲିକ୍ସରେ ଚାକିରି ଛାଡିବା ପରେ ତାଙ୍କ ସାମାଜିକ ଜୀବନ ପ୍ରଭାବିତ ହେବ ବୋଲି ଲିନ ଭୟ କରିଥିଲେ, କିନ୍ତୁ ଏହାର ବିପରୀତ ଘଟିଥିଲା। ସେ କହିଛନ୍ତି, ମୋର ବ୍ୟବସାୟ ଆରମ୍ଭ କରିବା ପରେ ମୁଁ ଅଧିକ ଲୋକ, ଲେଖକ ଏବଂ ସୃଷ୍ଟିକର୍ତ୍ତାଙ୍କୁ ଭେଟିଛି। ଏବେ ମୁଁ ସନ୍ତୁଷ୍ଟ। ମୋର ନେଟଫ୍ଲିକ୍ସ ଚାକିରି ଛାଡିବାର ୮ ମାସ ବିତିଗଲାଣି ଏବଂ ମୁଁ ବର୍ତ୍ତମାନ ନିଜ ପାଇଁ କାମ କରୁଛି। ଆୟର କୌଣସି ସ୍ଥିର ଉତ୍ସ ନାହିଁ ବୋଲି ଲିନ୍‌ କହିଛନ୍ତି।

Share