୧୨ ବର୍ଷ ଧରି ପ୍ରତିଦିନ ମାତ୍ର ୩୦ ମିନିଟ୍‌ ଶୋଉଛନ୍ତି ଏହି ଯୁବକ, ତଥାପି ନାହିଁ ଥକ୍କାପଣ, କହିଲେ…

ଜାପାନର ଜଣେ ଯୁବକ ୧୨ ବର୍ଷ ହେଲା ଦିନକୁ ମାତ୍ର ୩୦ ମିନିଟ୍‌ ନିଦରେ ଶୋଇଥାନ୍ତି। ଏହା ପରେ ବି ତାଙ୍କୁ ଥକ୍କା ଲାଗେ ନାହିଁ।

ଜାପାନର ଡାଇସୁକେ ହୋରି ନାମକ ଏହି ଯୁବକ କୁହନ୍ତି, ସେ ଦିନକୁ ୮ ଘଣ୍ଟା ଶୋଇବା ବଦଳରେ କେବଳ ୩୦ ମିନିଟ୍‌ ଶୋଇଥାନ୍ତି। ଯାହା ତାଙ୍କ ପାଇଁ ପର୍ଯ୍ୟାପ୍ତ। ସେ କୁହନ୍ତି, ଏହା ଦ୍ୱାରା ତାଙ୍କର କୌଣସି କ୍ଷତି ହୁଏ ନାହିଁ। ୩୬ ବର୍ଷୀୟ ହୋରି ‘ ଜାପାନର ଶର୍ଟ-ସ୍ଲିପର ଆସୋସିଏଶନର ଅଧ୍ୟକ୍ଷ ଅଛନ୍ତି। ସେ ଶହ ଶହ ଲୋକଙ୍କୁ ଏପରି କରିବାକୁ ପରାମର୍ଶ ମଧ୍ୟ ଦେଇଥାନ୍ତି। କାରଣ କମ୍‌ ଶୋଇଲେ ନିଜର ରୋଜଗାର ବଢ଼ିବ। ଆଉ ସୁନ୍ଦର ତଥା ସୁଖଦ ଜୀବନଶୈଳୀ ବିତାଇ ପାରିବ।

ସେ କୁହନ୍ତି, ୧୬ ଘଣ୍ଟା ଭିତରେ ସବୁକିଛି ହାସଲ କରି ହେବ ନାହିଁ। ୮ ଘଣ୍ଟା ଯଦି ନିଦରେ ଶୋଇବ ତେବେ ଜୀବନରେ କ’ଣ ଉନ୍ନତି କରିବ। ତେଣୁ ସେ ନିଷ୍ପତ୍ତି ନେଇଥିଲେ ଦିନକୁ ମାତ୍ର ୩୦ ମିନିଟ୍‌ ଶୋଇବେ। ଏହା ଧିରେ ଧିରେ ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲା। ଏବେ ତାଙ୍କୁ ଆଉ କୌଣସି ଅସୁବିଧା ହେଉନାହିଁ। ସେ କୁହନ୍ତି, ୩୦ ମିନିଟ୍‌ ଶୋଇଲେ ମଧ୍ୟ ତାଙ୍କୁ ଥକ୍କା ଲାଗେ ନାହିଁ। ଆରାମରେ ସେ ସବୁ କାମ କରିପାରନ୍ତି।

ସବୁଠୁ ଆଶ୍ଚର୍ଯ୍ୟର କଥା ତାଙ୍କର ଏପରି ଜୀବନଶୈଳୀର ପ୍ରମାଣ ଦେବାକୁ ସେ ଜଣେ ଟିଭି ଉପସ୍ଥାପକଙ୍କୁ ତାଙ୍କ ଘରେ ୩ ଦିନ ରଖିଥିଲେ। ବାସ୍ତବରେ ହୋରି ୩୦ ମିନିଟ୍‌ ଶୋଇ ବାକି ସମୟ ତାଙ୍କ କାମରେ ଲାଗିଥିଲେ। ଯାହା ଦେଖି ଉପସ୍ଥାପକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ତାଙ୍କର ଏପରି ଜୀବନଶୈଳୀ ପାଇଁ ହୋରି ଚର୍ଚ୍ଚାରେ ରହିଛନ୍ତି।

Share