ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ଜଣାପଡ଼ିଲା ସବୁ ସତ

ପାପଡ଼ାହାଣ୍ଡି,୨୧ା୧(ଡି.ଏନ୍‌.ଏ.): ନକଲି ସୁନା ଶଙ୍ଖକୁ ଅସଲି କହି ଅଧିକ ଟଙ୍କା ପାଇବା ଆଶାରେ ଅନ୍ୟକୁ ବିକ୍ରି କରି ନିଜେ ଫସିଛନ୍ତି ଯୁବକ। ସଫଳ ହେଇ ପାରିଲାନି ତାଙ୍କ ସ୍ବପ୍ନ। ନକଲି ସୁନା ଶଙ୍ଖ ଜାଣିବା ପରେ ଶେଷରେ କିଣିଥିବା ଲୋକ ଯୁବକଙ୍କୁ ଅପହରଣ କରିନେଇ ବନ୍ଧକ ରଖିଲେ। ଫୋନରେ ଟଙ୍କା ସହ ହତ୍ୟା ଧମକ ପାଇ ପରିବାର ଲୋକ ଏ ନେଇ ଥାନାରେ ଜଣାଇବା ପରେ ପୋଲିସ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ। ଏହି କାରବାର ନେଇ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆୟୋଜିତ ପ୍ରେସ୍‌ ମିଟ୍‌ରେ ସୂଚନା ଦେଇଛନ୍ତି ପାପଡ଼ାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ୍‌।

ସୂଚନାନୁଯାୟୀ, ମଇଦଲପୁର ଥାନା ଚନ୍ଦ୍ରପୁର ଗ୍ରାମର ରବୀନ୍ଦ୍ର ମିର୍ଗାନ ସୁନା ଶଙ୍ଖ ଦେବି କହି ମଧ୍ୟପ୍ରଦେଶ ଅଞ୍ଚଳର କିଛି ବ୍ୟକ୍ତିଙ୍କ ଠାରୁ ୫୦ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ। କମ୍‌ ଦରରେ ସୁନା ଶଙ୍ଖ ପାଇବା ଆଶାରେ ଟଙ୍କା ଦେଇଥିବା ବ୍ୟକ୍ତିମାନେ ମଇଦଲପୁର ଅଞ୍ଚଳକୁ ବାରମ୍ବାର ଆସୁଥିଲେ। ଶେଷରେ ରବୀନ୍ଦ୍ର ଏମାନଙ୍କୁ ନକଲି ସୁନା ଶଙ୍ଖ ଦେଇଥିଲେ। ବାକି ଟଙ୍କା ନିଜ ଗାଁରେ ମୂଲଚାଲ ହେବ କହି ରବୀନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ନେଇ ଯାଇଥିଲେ କିଣିବା ଲୋକ। ସେଠାରେ ଯାଞ୍ଚ ବେଳେ ନକଲି ସୁନା ଶଙ୍ଖ ବୋଲି ଜାଣିବା ପରେ ତାଙ୍କୁ ସେଠାରେ ବନ୍ଧକ କରି ରଖିଥିଲେ। ୬ ଲକ୍ଷ ଦେଲେ ଛାଡ଼ିବେ ବୋଲି ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରି ଜଣାଇଥିଲେ ଅପହରଣକାରୀ। ଅନ୍ୟ ପଟେ ରବୀନ୍ଦ୍ର ପୂର୍ବରୁ ନିଖୋଜ ଥିବାରୁ ସ୍ତ୍ରୀ ମଇଦଲପୁର ଥାନାରେ ଅଭିଯୋଗ କରିଥିଲେ। ପରେ ୧/୨୩ରେ ମାମଲା ରୁଜୁ କରିଥିଲା। ପରେ ୬ ଲକ୍ଷ ନେଇ ସ୍ତ୍ରୀ ବନ୍ଦିତାଙ୍କୁ ଫୋନ୍‌ ଆସିବାରୁ ସେ ପୁଣିଠାରେ ମଇଦଲପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ୬/୨୩ରେ ମାମଲା ରୁଜୁ କରି ନବରଙ୍ଗପୁର ଏସ୍‌ପି ଏସ୍‌ ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଡିପିଓ ଆଦିତ୍ୟ ସେନ୍‌, ଥାନାଧିକାରୀ ନଟବର ନନ୍ଦ, ଏସ୍‌ଆଇ ଶିବାଜୀ ପଣ୍ଡା ଓ ପୋଲିସ ଟିମ୍‌ ଗଠନ କରି ମଧ୍ୟପ୍ରଦେଶ ଅଞ୍ଚଳର ବେତୁଲ ଅଞ୍ଚଳର ଚିଛୋଲିରୁ ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ତା’ ସହିତ ସେମାନଙ୍କ ସହ କାର୍ଯ୍ୟ କରୁଥିବା ଜଣେ ବାବା ବିଦ୍ୟାଶଙ୍କର ଦୁବେଙ୍କୁ ବି ଗିରଫ କରିବାରେ ସଫଳ ହୋଇଥିଲା ମଇଦଲପୁର ପୋଲିସ। ସେହିପରି ରବୀନ୍ଦ୍ରଙ୍କ ନାମରେ ଏକାଧିକ ମାମଲା ରହିଥିବା ସୂଚନା ଦେଇଛି ପୋଲିସ। ଏହି ଦୁଇ ଜଣଙ୍କୁ ଗିରଫ କରି ଆଉ ତଦନ୍ତ କଲା ପରେ ଅନ୍ୟ ଅପରାଧୀଙ୍କୁ ମଧ୍ୟ ଧରାଯିବ ବୋଲି ପୋଲିସ କହିଛନ୍ତି। ଆୟୋଜିତ ପ୍ରେସ୍‌ମିଟ୍‌ରେ ମଇଦଲପୁର ଥାନାଧିକାରୀ ନଟବର ନନ୍ଦ, ଡି. ଦେବୀ କୁମାର ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।