ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇଲେ ଯୁବକ, କାରଣ ଜାଣିଲେ…

ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍‌ରେ ଖୁବ୍‌ ଜୋର୍‌ରେ କାର୍‌ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ପୋଲିସ ହର୍ଟଫୋର୍ଡଶାୟାରର ଚେଶଣ୍ଟରେ ଏକ କାର୍‌ ଅଟକାଇବାକୁ ଚେଷ୍ଟା କଲା ବେଳେ ଡ୍ରାଇଭର ସେଠାରୁ ପଳାଇଯିବାରେ ଲାଗିଲେ। କେଉଁଆଡ଼େ ଖସି ଯିବେ ଭାବି ନ ପାରି ରେଳ ଟ୍ରାକ୍‌ରେ କାର୍‌କୁ ଖୁବ୍‌ ଜୋର୍‌ରେ ଚଳାଇ ଗଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡ୍ରାଇଭରର ଏମିତି କାର୍‌ ଚଳାଇବା ଦେଖି ପୋଲିସ ତାଙ୍କର ପିଛା କରିଥିଲା। ଏଥିରେ ଡ୍ରାଇଭର ଆହତ ହେବା ସହ ପୋଲିସ ମଧ୍ୟ ଆହତ ହୋଇଛି।

ପାଖରେ ଥିବା ଏକ ଘରର ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ଷ୍ଟେଶନ ନିକଟରେ ଥିବା ଏକ କାର୍‌କୁ ଜଣେ ମହିଳା ଅଧିକାରୀ ହାତରେ ବାଡ଼ି ଧରି ପାଟି କରି କହୁଛନ୍ତି କାର୍‌ ବାହାରକୁ କାଢ଼। ଆଉ ଜଣେ ପୋଲିସ ଅଧିକାରୀ କହୁଛନ୍ତି କାହାକୁ ଶୁଣାଯାଉନି କି କାର୍‌ ଶୀଘ୍ର ବାହାରକୁ ବାହାର କର। ହଠାତ୍‌ ଡ୍ରାଇଭର ଜଣକ ଗାଡ଼ିକୁ ପଛ କରି ନେଇ ଖୁବ୍‌ ଜୋର୍‌ରେ ଚଳାଇ ପଳାଉଛନ୍ତି। ଆଗରେ ରାସ୍ତା ନ ପାଇ ରେଳ ଟ୍ରାକ୍‌ରେ କାର୍‌କୁ ଚଳାଉଛନ୍ତି। ଷ୍ଟେଶନରେ ଲାଗିଥିବା କ୍ୟାମେରାରେ ରେକର୍ଡିଂ ହୋଇଥିବା ଭିଡିଓରୁ ଦେଖିବାକୁ ମିଳିଛି ଟ୍ରାକ୍‌ରେ କାର୍‌ଟି ଖସି ଯାଉଛି। ଆଉ ଏଥିରୁ ଖୁବ୍‌ ଜୋର୍‌ରେ ଧୂଆଁ ବାହାରୁଛି। ଘଟଣା ଜଣାପଡ଼ିବା ପରେ ଅତି କମ୍‌ରେ ୧୦ ପୋଲିସ କାର୍‌, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଅଟକାଇଥିଲେ। ଯାଞ୍ଚରୁ ଜଣାପଡ଼ିଥିଲା ଏହା ଏକ ଚୋରି କାର୍‌। ପରେ ଯୁବକ ଜଣଙ୍କୁ ଗିରଫ କରାଯାଇଛି।

Share