ବାଇକ୍‌କୁ ଆମ୍ବୁଲାନ୍ସ କଲେ ଯୁବ ଇଞ୍ଜିନିୟର, ଏଥିରେ ବେଡ୍‌ ସହ ରହିଛି ଅକ୍ସିଜେନ ସିଲିଣ୍ଡର

ଭୋପାଳ,୨୯।୪: ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି। କରୋନା ରୋଗୀଙ୍କ ସମ୍ପର୍କୀୟମାନେ କେଉଁଠି ଆମ୍ବୁଲାନ୍ସ ପାଉନାହାନ୍ତି ତ ଆଉ କେଉଁଠି ଅକ୍ସିଜେନ। ଏହି ଅଭାବ ଦୂର କରିବାକୁ ଜଣେ ଯୁବ ଇଞ୍ଜିନିୟର ଅଜିଜ୍‌ ଖାନ୍‌ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛନ୍ତି।

ସୋସିଆଲ ମିଡିଆରେ କରୋନା ସଂକ୍ରମିତଙ୍କ ସମସ୍ୟା ସମ୍ପର୍କରେ ଖବର ଭାଇରାଲ ହେବା ପରେ ଅଜିଜ ନିଜ ପ୍ରୟାସରେ ଲାଗିପଡ଼ିଛନ୍ତି। ସେ ନିଜର ଜ୍ଞାନ କୌଶଳ ଖଟାଇ ବାଇକ୍‌କୁ ଆମ୍ବୁଲାନ୍ସ କରିଛନ୍ତି। ଏହି ଆମ୍ବୁଲାନ୍ସରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇପାରିବ। ଖାଲି ଏତିକି ନୁହେଁ, ସେ ଏଥିରେ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଲଗାଇଛନ୍ତି। ଏହି ଆମ୍ବୁଲାନ୍ସ ତିଆରି କରିବାରେ ସେ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି।

ଏହି ଆମ୍ବୁଲାନ୍ସର ବିଶେଷତ୍ତ୍ୱ ହେଲା, ଏଥିରେ ହସ୍ପିଟାଲରେ ବ୍ୟବହାର କରାଯାଉଥିବା ବେଡ୍‌ ଲଗାଯାଇଛି। ଯେଉଁଥିରେ ରୋଗୀଙ୍କୁ ନେବା ଆଣିବା କରିବା ସହଜ ହେବ। ଏଥିରେ ଲାଗିଥିବା ଅକ୍ସିଜେନ ସିଲିଣ୍ଡରରୁ ଗୁରୁତର ରୋଗୀଙ୍କୁ ଅକ୍ସିଜେନ ଦିଆଯାଇପାରିବ। ଏଥିରେ ଜୀବନରକ୍ଷା ପାଇଁ କିଛି ମେଡିସିନ ମଧ୍ୟ ରଖାଯାଇଛି। ଅଜିଜଙ୍କ ଏପରି ଜ୍ଞାନ କୌଶଳ ଦେଖି ସାଧାରଣରେ ଖୁବ୍‌ ପ୍ରଶଂସା କରାଯାଉଛି।

Share