ଦୁନିଆର ସବୁଠୁ ବଡ଼ ରୁଟି

ଜୟପୁର,୮।୧୦: ରୁଟି ପ୍ରାୟତଃ ସମସ୍ତଙ୍କ ଘରେ ତିଆରି, କିନ୍ତୁ ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ଏହି ରୁଟି ତିଆରି କରିବାକୁ ଅଟା ଚକଡି ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ରୁଟି ସେକିବାକୁ କରିବାକୁ ଚାରିରୁ ପାଞ୍ଚ ଘଣ୍ଟା ଲାଗିଗଲା। ଦୁନିଆର ସବୁଠୁ ବଡ ରୁଟି କରିବା ପାଇଁ ଗତ ଦୁଇ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା।
୨୦୭ କିଲୋଗ୍ରାମର ଏହି ରୁଟି ଭିଲୱାରା ସହରର ହରିସେୱା ଧାମରେ ତିଆରି କରାଯାଇଥିଲା। ମହାମଣ୍ଡଳେଶ୍ୱର ସନ୍ତ ହଂଶରାମଙ୍କ ସାନିଧ୍ୟରେ ନିର୍ମିତ ଏହି ରୁଟି ତିଆରି ପ୍ରକ୍ରିୟା ସକାଳୁ ଆରମ୍ଭ ହୋଇଥିଲା। ୨୨ ଲୋକ ଏକତ୍ରିତ ହୋଇ ଏହାର ଅଟା ଚକଡି ଥିଲେ। ଏହା ପରେ ରୁଟି ବେଲିବା ଏବଂ ପରେ ସେକିବା ପ୍ରକ୍ରିୟା ଆରମ୍ଭ ହେଲା। ସନ୍ଧ୍ୟାରେ ରୁଟି ପ୍ରସ୍ତୁତ ହୋଇଯାଇଥିଲା। ରୁଟିକୁ ତାଓ୍ବା ଉପରେ ହିଁ ବେଲା ଯାଇଥିଲା ଏବଂ ଏପଟ ସେପଟ ନ କରି ଗୋଟିଏ ଥର ହିଁ ସେକା ହୋଇଥିଲା।
ଏହି ରୁଟି ତିଆରି କରିବା ପାଇଁ ୧୨୦ କିଲୋଗ୍ରାମ ଅଟା, ୧୦ କିଲୋଗ୍ରାମ ମଇଦା, ୧୦ କିଲୋଗ୍ରାମ ଘିଅ ଏବଂ ୬୭ ଲିଟର ପାଣି ବ୍ୟବହୃତ ହୋଇଥିଲା। ରୁଟି ତିଆରି କରିବା ପୂର୍ବରୁ ଏକ ହଜାର ଇଟା ସହିତ ଏକ ଚୁଲା ପ୍ରସ୍ତୁତ କରାଯାଇଥିଲା। ଏକ ହଜାର କିଲୋ ଓଜନ ବିଶିଷ୍ଟ ଲୁହାରେ ନିର୍ମିତ ଏକ ତାଓ୍ବା ଏହା ଉପରେ ରଖାଗଲା। ରୁଟି ବେଲିବା ପାଇଁ ୨୦ ଫୁଟ ଲମୱା ବେଲଣା କାଠି ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟର କାରିଗରମାନେ ଏହି ରୁଟି ପ୍ରସ୍ତୁତ କରିଥିଲେ। ଏକ ହଜାରରୁ ଅଧିକ ଲୋକ ଏହି ସ୍ବତନ୍ତ୍ର ରୁଟି ସ୍ବାଦ ଚାଖିଥିଲେ।

Share