ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଲା

ଓ୍ବାଶିଂଟନ,୧୧ା୧୧: ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଆମେରିକାର ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ଜନ୍ମହାର କମିଥିଲେ ମଧ୍ୟ ଲୋକଙ୍କ ଆୟୁଷ ବଢ଼ିଥିବାରୁ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ ସେପ୍ଟେମ୍ବର ୨୬ରେ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିଲା। ଅନ୍ୟପକ୍ଷରେ ୨୦୨୨ ନଭେମ୍ବର ୨୨ରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଥିବା ଜାତିସଂଘ ପୂର୍ବରୁ ଆକଳନ କରିବା ସହ ଉକ୍ତ ଦିନକୁ ‘ଡେ ଅଫ୍‌ ୮ ବିଲିୟନ’ ଭାବେ ଘୋଷଣା କରିଥିଲା। ବିଭିନ୍ନ ଦେଶରେ ଜନଗଣନା ତରିକା ଅଲଗା ହୋଇଥିବାରୁ ଓ କେତେକ ଦେଶ ଗଣନା କରୁ ନ ଥିବାରୁ ଦୁଇଟି ଆକଳନ ମଧ୍ୟରେ ପାର୍ଥକ୍ୟ ରହୁଛି। କେତେକ ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଲାଗି ଆବଶ୍ୟକ ବ୍ୟବସ୍ଥା ନାହିଁ। ଭାରତ ଓ ନାଇଜେରିଆ ଭଳି ଜନବହୁଳ ରାଷ୍ଟ୍ର ଏକ ଦଶନ୍ଧିରୁ ଅଧିକ ଦିନ ହେଲା ଜନଗଣନା କରିନାହାନ୍ତି। ପୂର୍ବରୁ ଯେଉଁ ହାରରେ ଜନସଂଖ୍ୟା ବଢ଼ୁଥିଲା, ୧୯୬୦ରୁ ୨୦୦୦ ବେଳକୁ ଏହା ଦୁଇଗୁଣ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ଏକବିଂଶ ଶତାବ୍ଦୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଜନସଂଖ୍ୟା ୬୦୦ କୋଟିରୁ ବଢ଼ି ୮୦୦ କୋଟିରେ ପହଞ୍ଚତ୍ଛି, ଅର୍ଥାତ୍‌ ବୃଦ୍ଧି ହାର ପୂର୍ବାପେକ୍ଷା ହ୍ରାସ ହୋଇଛି। ୧୯୬୦ରୁ ୨୦୦୦ ମଧ୍ୟରେ ସଂଖ୍ୟା ଦୁଇଗୁଣ ହୋଇଥିଲା। ବର୍ତ୍ତମାନ ବୃଦ୍ଧିର ମୁଖ୍ୟ କାରଣ ହେଲା ଲୋକମାନେ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି। ବର୍ତ୍ତମାନ ବୈଶ୍ୱିକ ମଧ୍ୟମ ବୟସ ୩୨ ରହିଛି। ଏହି ଧାରା ଜାରି ରହିଲେ ୨୦୬୦ ବେଳକୁ ମଧ୍ୟମ ବୟସ ୩୯ରେ ପହଞ୍ଚତ୍ବ ବୋଲି ଆଶା କରାଯାଉଛି। କାନାଡା ଭଳି ଦେଶରେ ବୟସ୍କଙ୍କ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାବେଳେ ନାଇଜେରିଆ ଭଳି ଦେଶରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ଯଥେଷ୍ଟ କମିଛି। ଅଧିକାଂଶ ଦେଶରେ ମହିଳାମାନଙ୍କ ସନ୍ତାନ ଜନ୍ମ ହାର ଯଥେଷ୍ଟ ହ୍ରାସ ପାଇଛି। ଜନସଂଖ୍ୟା ସ୍ଥିର ରଖିବାକୁ ହେଲେ ହାରାହାରି ଜନ୍ମହାର ଅନୂ୍ୟନ ୨.୧ ରହିବା ଆବଶ୍ୟକ ବୋଲି ଜନସଂଖ୍ୟା ବିଶେଷଜ୍ଞମାନେ କହିଛନ୍ତି।

Share