Posted inଫୁରସତ

ପିଲାଙ୍କ ଦୁନିଆ

ସମସ୍ତେ ସ୍ବାଧୀନତା ଶବ୍ଦଟିକୁ ବହୁତ ଗୁରୁତ୍ୱ ଦେଇ କଥା ହୁଅନ୍ତି। ଦେଶ ସ୍ବାଧୀନତା ଲାଭ କଲା ଆମର ବାକ୍‌ ସ୍ବାଧୀନତା ଦରକାର, ସ୍ବାଧୀନତା ବିନା ଜୀବନର ମୂଲ୍ୟ ନାହିଁ – ଏହିପରି ଅନେକ ପ୍ରକାରେ ଆମେ ସ୍ବାଧୀନତାକୁ ଏକ ଅମୂଲ୍ୟ ରତ୍ନ ରୂପରେ ଗଣିଥାଉ। ହେଲେ ପିଲାମାନଙ୍କର କେତେ ସ୍ବାଧୀନତା ଦରକାର ଓ ସେମାନେ କେତେ ସ୍ବାଧୀନତା ପାଇଥାଆନ୍ତି, ସେ କଥାକୁ କେହି ନଜର ଦିଅନ୍ତିନି। ବେଳେବେଳେ ଲାଗେ ପିଲାଙ୍କୁ ଆମେ ଆମର ସମ୍ପତ୍ତି ଭଳି ବ୍ୟବହାର କରୁ। ସେମାନଙ୍କୁ ବଢ଼େଇବାର ପ୍ରକ୍ରିୟା ଯେପରି ପୁଞ୍ଜି ନିବେଶର ଏକ ପ୍ରକ୍ରିୟା। ମାତାପିତା ଯାହା ହୋଇ ନ ଥାନ୍ତି ପିଲାଟି ତାହା ହାସଲ କରୁ ବୋଲି ଚାହାନ୍ତି। ବିଚରା ପିଲାଏ ଅଭିଭାବକଙ୍କ ଉଚ୍ଚକାଂକ୍ଷାକୁ ବୋହି ଚାଲିଥାଆନ୍ତି। ଶିକ୍ଷକମାନେ ବି ପିଲାଙ୍କ ଉପରେ ଗୁଡ଼ିଏ ବହିପଢ଼ା ଆଦର୍ଶ ଲଦି ଦିଅନ୍ତି। ଆମେ ପିଲାଙ୍କୁ ଫୁଲ ସହ ତୁଳନା କରୁ,ହେଲେ ସେମାନେ କେମିତି ଫୁଟିବେ ଅନେକ ସମୟରେ ତା’ର ରୂପରେଖ ଆମେ ନିର୍ଣ୍ଣୟ କରି ଦେଉ। ସେମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟିକରି ସେମାନଙ୍କୁ ସେମାନଙ୍କ ହାତରେ ଛାଡ଼ିଦେବା କେବେବି ହୁଏ କି? ଶେଷରେ ପୁରୁଣା ସମାଜ ନୂଆ ରୂପରେ ପ୍ରତିଭାତ ହୁଏ। କିନ୍ତୁ କିଛି ବଦଳି ନ ଥାଏ। ତେଣୁ ପିଲାଙ୍କୁ କିପରି ଉପଯୁକ୍ତ ମାର୍ଗଦର୍ଶନ ଦେଇ ଜଣେ ଭଲ ମଣିଷ ଭାବେ ଗଢ଼ିହେବ, ସେ ଦାୟିତ୍ୱ ପ୍ରତ୍ୟେକ ମାତାପିତା, ଶିକ୍ଷକ ଓ ଗୁରୁଜନଙ୍କର।
ପିଲାଙ୍କ ସ୍ବାଧୀନତା ସ୍ବେଚ୍ଛାଚାରରେ ପରିଣତ ନ ହେଉ
– ଶୈଳଜ ରବି ( ବିଶିଷ୍ଟ ସାହିତି୍ୟକ ଓ ସାମାଜିକ କର୍ମୀ )

ସ୍ବାଧୀନତା ଏକ ଜୈବିକ ଆବଶ୍ୟକତା । ଯାହା ପାଖରେ ସୂଚନା ନାହିଁ ସିଏ କିପରି ସ୍ବାଧୀନତା ଭୋଗିବ ! ଅଜ୍ଞର ସ୍ବାଧୀନତା କ’ଣ? ପିଲାଙ୍କୁ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ଆଧିପତ୍ୟର ସହିତ ମାର୍ଗଦର୍ଶନ କରିବା ଦରକାର। ଅଧିକାର ସହ କର୍ତ୍ତବ୍ୟବୋଧ ରହିବା ଉଚିତ। ସମ୍ବିଧାନରେ ମୌଳିକ ଅଧିକାର ସହ ମୌଳିକ କର୍ତ୍ତବ୍ୟର କଥା ଉଲ୍ଲେଖ ଅଛି। ପିଲାଙ୍କ ସ୍ବାଧୀନତା ସ୍ବେଚ୍ଛାଚାରରେ ପରିଣତ ନ ହେଉ। ପିଲାଏ ତାଙ୍କ ଅଧିକାର ଓ କର୍ତ୍ତବ୍ୟ ଉଭୟ ଜାଣିବା ଆବଶ୍ୟକ। ମୁରବି ଓ ଶିକ୍ଷକମାନେ ନିଜେ ଯେତିକି ଆଚରଣ ଦେଖାନ୍ତି ପିଲାଙ୍କୁ ସେତିକି ଶିଖାଇବା ଉଚିତ। ତାହେଲେ ତାହା ପିଲାଙ୍କୁ ଛୁଇଁବ। ତାଙ୍କୁ ଲାଗିବ କେହି ତାଙ୍କୁ ବଳପ୍ରୟୋଗ କରୁନାହାନ୍ତି। ପିଲାଙ୍କୁ ସଚେତନ କରାଇବା ବଡ଼ କଥା। କିଛି ଛାତ୍ର ଏତେ ଦୁଷ୍ଟ ଥାଆନ୍ତି ଯେ ତାଙ୍କୁ ଦଣ୍ଡ ଦରକାର ପଡ଼େ। ତେଣୁ ପିଲାର ମାନସିକତା ଦେଖି ତାକୁ ଶାସନ କରିବେ କି ସ୍ନେହ କରି ବାଟକୁ ଆଣିବେ ତା’ର ଦାୟିତ୍ୱ ଗୁରୁଜନଙ୍କ ଉପରେ।
ପିଲାଙ୍କ ଲାଗି ଆମକୁ ସମ୍ବେଦନଶୀଳ ହେବାକୁ ପଡ଼ିବ
-ମନୋଜ ଦାଶ ( ବିଦ୍ୟାଳୟ ପରିଚାଳକ )

ପିଲାଟିଏ ଜନ୍ମ ନେଲା ବେଳେ ପ୍ରତ୍ୟେକ ଅଭିଭାବକଙ୍କ ପାଇଁ ଏକ ନୂତନ ସମ୍ଭାବନା ନେଇକି ଆସେ। ବୋଧହୁଏ ସେଇ ଦିନରୁ ହିଁ ପ୍ରତିଯୋଗିତା ଆରମ୍ଭ ହୋଇଯାଏ ତା’ର ଭବିଷ୍ୟତକୁ ନେଇ। ପିଲାଟି ନାମରେ କେତୋଟି ସ୍ଥାୟୀ ଜମା କରିବା, ଜାଗା କିଣିବା, ତା’ ପାଠପଢ଼ା ପାଇଁ ଯୋଜନା କରିବା ଇତ୍ୟାଦି ଇତ୍ୟାଦି। ନିଜର ଅସମ୍ପୂର୍ଣ୍ଣ ସ୍ବପ୍ନକୁ ପୂରଣ କରିବା ପାଇଁ ପ୍ରତ୍ୟେକ ମାତାପିତା ଲାଗିପଡ଼ନ୍ତି। ଅଭିଭାବକମାନଙ୍କ ଆବେଗକୁ ନଜର ଦେଇ ସହରଠାରୁ ଗାଁ ପର୍ଯ୍ୟନ୍ତ ପ୍ରତି ଗଳିକନ୍ଦିରେ ଖୋଲି ଚାଲିଛି ପ୍ଲେ ସ୍କୁଲ, ଶିଶୁ ଯତ୍ନ କେନ୍ଦ୍ର। ଉଭୟେ କର୍ମଜୀବୀ ଥିବା ଅଭିଭାବକ ଯେଉଁମାନେ ଏକକ ପରିବାରର ଥାଆନ୍ତି ସେମାନେ ଏହି ଅନୁଷ୍ଠାନରେ ପିଲାଙ୍କୁ ଛାଡ଼ି ଆଶ୍ୱସ୍ତ ହୁଅନ୍ତି। ରୁଷୋଙ୍କ “Man is born free but everywhere in chains “ନ୍ୟାୟରେ ପିଲା ଗୋଟେ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ ନ ବଢ଼ି ଖେଚେଡ଼ି ସଂସ୍କୃତିରେ ବଢ଼େ। ପିଲାଙ୍କ ଚପଳାମି ନ ସରୁଣୁ ଆମେ ତା’ ହାତରେ ପେନ୍‌ସିଲ ଧରେଇ କହି ହେଉ ମୋ ପିଲା କେତେ ଆକ୍ଟିଭ୍‌ (ସକ୍ରିୟ )!

ଆମେ ଆମ କାମରେ ବ୍ୟସ୍ତ ରହୁ। ମୋବାଇଲ୍‌ ଧରି ବସିଯାଉ। ପିଲାକୁ ସମୟ ଦେଉନା। ଅଝଟ ହେଲେ ତାକୁ ଟିଭିରେ କାର୍ଟୁନ ଦେଖାଇ ତୁନି କରୁ। ପରେ ସେ ଦେଖିବାକୁ ଚାହିଁଲେ ଆମେ ବିରକ୍ତ ହେଉ। ପିଲାବେଳୁ ଗାଁ ଦାଣ୍ଡରେ ଧୂଳି ଖେଳିବା, କଙ୍କି ଧରିବା, ଗୁଡ଼ି ଉଡ଼େଇବା, ନଈରେ ବୁଡ଼ିବା, ମାଛ ଧରିବା ଭଳି ପ୍ରଭୂତ ସ୍ବାଧୀନତା ଆମକୁ ମିଳୁଥିଲା, ହେଲେ ପରିବେଶ, ସମାଜର ଦାବି ଅନୁଯାୟୀ ଆମେ ପିଲାଙ୍କୁ ବେଶି ଯାନ୍ତ୍ରିକ କରିଦେଉଛୁ। ପିଲାଙ୍କୁ ସ୍ବାଧୀନ ହେବାର ସୁଯୋଗ ଦେଉନାହୁଁ। ଏଇ କଥାଟି ବୁଝି ପିଲାଙ୍କ ପାଇଁ ମୋହଗ୍ରସ୍ତ ନ ହୋଇ ସମ୍ବେଦନଶୀଳ ହୋଇପାରିଲେ ହୁଏତ ପିଲାଙ୍କୁ ପିଲାଙ୍କ ମୁତାବକ ସ୍ବାଧୀନତା ମିଳିପାରିବ।
ପିଲାଙ୍କ ରୁଚି ଓ ଆଗ୍ରହକୁ ଗୁରୁତ୍ୱ ଦିଏ
-ସସ୍ମିତା ମହାପାତ୍ର, ଶିକ୍ଷୟିତ୍ରୀ , ରାଉରକେଲା

ପ୍ରତ୍ୟେକ ସଫଳ ବ୍ୟକ୍ତିତ୍ୱଙ୍କ ଭବିଷ୍ୟତ ମୂଳଦୁଆ ଶୈଶବରୁ ହିଁ ପଡ଼ିଥାଏ। ଏହି ସମୟରେ ତାକୁ ପ୍ରଥମେ ମାତାପିତା ଓ କ୍ରମେ ଶିକ୍ଷକଙ୍କର ସାହାଯ୍ୟ, ସହଚର୍ଯ୍ୟା ଏବଂ ସମର୍ଥନର ଏକାନ୍ତ ଆବଶ୍ୟକତା ଥାଏ ତା’ର ସ୍ବପ୍ନ ପୂରଣ କରିବା ପାଇଁ l କିନ୍ତୁ ଶିଶୁମାନେ ଅନେକ ସମୟରେ ଅଭିଭାବକମାନଙ୍କ ଚାପରେ ନିଜର ରୁଚି ପରିବର୍ତ୍ତେ ବଡ଼ମାନଙ୍କ କଥାନୁସାରେ ନିଜ ରୁଚି ବଦଳାଇବାକୁ ବାଧ୍ୟ ହେଉଛନ୍ତି, ଯାହାଦ୍ୱାରା ସେମାନଙ୍କ ଉପରେ ମାନସିକ ଚାପ ପଡୁଛି। ଜଣେ ଶିକ୍ଷୟିତ୍ରୀ ହିସାବରେ ମୁଁ ମୋର କୋମଳମତି ଛାତ୍ରୀଛାତ୍ରଙ୍କ ରୁଚିକୁ ସମ୍ମାନ ଦେଇ, ଅଭିଭାବକଙ୍କ ସହ ପିଲାଙ୍କ ରୁଚି ଓ ତା ଆଗ୍ରହ ବିଷୟରେ କଥା ହୋଇ ସେ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥାଏ।
ଚାପ ବି ଛାତ୍ରଙ୍କୁ ଶୃଙ୍ଖଳିତ କରେ
-ଜ୍ଞାନରଞ୍ଜନ ନାୟକ, ଅଧ୍ୟକ୍ଷ, କେନ୍ଦ୍ରାପଡ଼ା

ଶିଶୁମାନଙ୍କଠାରୁ ଆରମ୍ଭକରି ବୟସ୍କ ଲୋକଙ୍କ ଯାଏ ‘ଚାପ’ ଏକ ସାଧାରଣ କଥା। ବିଶେଷକରି ଛାତ୍ରୀଛାତ୍ରଙ୍କ ଜୀବନରେ ଏହି ଚାପ ଅଧିକ ଦେଖିବାକୁ ମିଳେ। ଚାପ ସେମାନଙ୍କ ଜୀବନରେ ଶୃଙ୍ଖଳା ରଖେ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଧାରାରେ ବାନ୍ଧିରଖି ନିଷ୍ଠାବାନ କରାଏ। ଯାହାକି ପରବର୍ତ୍ତୀ ଜୀବନରେ ସେମାନଙ୍କୁ
ଦାୟିତ୍ୱବାନ କରାଏ। ତେବେ ଏଇ ଚାପ ମାତାପିତା ଏବଂ ଶିକ୍ଷକମାନଙ୍କ ଆକାଂକ୍ଷା ପୂରଣ କରିବା ସକାଶେ ପ୍ରୟୋଗ କରାଗଲେ ଛାତ୍ରୀଛାତ୍ରମାନେ ଭାରାକ୍ରାନ୍ତ ହେଇଯିବାର ସମ୍ଭାବନା ରହିଛି। ଅନେକ ସମୟରେ ଚାପ ସେମାନଙ୍କୁ ବାଟବଣା ବି କରିଥାଏ। ଭବିଷ୍ୟତରେ ସେମାନେ ସୁନାଗରିକ ହେବା ପରିବର୍ତ୍ତେ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ କରାଏ। ଏସବୁ ଦଷ୍ଟିରୁ ବିଚାରକଲେ ମାତାପିତା ଏବଂ ଶିକ୍ଷକ ଆବଶ୍ୟକତାଠାରୁ ଅଧିକ ଚାପ ଛାତ୍ରୀଛାତ୍ରଙ୍କ ଉପରେ ଲଦିବା ଆଦୌ ଗ୍ରହଣୀୟ ନୁହେଁ।
ପିଲାଙ୍କୁ ପ୍ରଥମେ ବୁଝିବା ଦରକାର
-ଲୋପାମୁଦ୍ରା ପରିଡ଼ା, ଅଭିଭାବକ, ବାଙ୍ଗାଲୋର

ଆମେ ଯାହା ହବାକୁ ଇଚ୍ଛା କରିଥିଲେ ଯଦି କୌଣସି କାରଣବଶତଃ ସେଇଟି ନ ହୋଇଛି, ତା’ର ଅର୍ଥ କଦାପି ନୁହେଁ ଯେ ଆମର ସନ୍ତାନଟିକୁ ବାଧ୍ୟ କରିବା ସେୟା ହେବା ପାଇଁ। ସମସ୍ତେ ସ୍ବତନ୍ତ୍ର, ସମସ୍ତଙ୍କର ପସନ୍ଦ, ନାପସନ୍ଦ ରହିଛି । ଆଜିକାଲି ଦେଖିବାକୁ ମିଳେ, ପିଲାଙ୍କ ସଫଳତାକୁ ନେଇ ଏକ ଅଲିଖିତ ପ୍ରତିଯୋଗିତା ବଢ଼ି ଚାଲିଛି। ଅଧିକାଂଶ ଚାହୁଁଛନ୍ତି,ମୋ ପିଲାଟି ସର୍ବ ଗୁଣସମ୍ପନ୍ନ ହେଉ। ଭଲ ନାଚୁ, ଗାଉ, ଆଙ୍କୁ, ଅନେଶତ ଦଶମିକ ନଅ ପରେ ଯେଉଁ ପ୍ରତିଶତ ତାହା ରଖୁ । କିନ୍ତୁ ପ୍ରକୃତରେ ଗୋଟିଏ ପିଲା ପକ୍ଷେ ଏସବୁ ସମ୍ଭବ କି? ସେଇକଥା ଆମେ କେବେ ଭାବୁ ନାହୁଁ।
ଆମକୁ ଏତିକି ଦେଖିବାକୁ ହେବ ଯେ ଆମର ଶିଶୁଟିର କେଉଁ ଦିଗଟି ସମୃଦ୍ଧ । ଆଜିକାଲି ତ ଅନେକ ପ୍ରକାରରେ ବାଟ ଖୋଲିଛି ନିଜକୁ ନିଜ ରୁଚି ଅନୁଯାୟୀ ପ୍ରତିଷ୍ଠିତ କରିବାକୁ। ତେଣୁ ଅଭିଭାବକମାନେ ସେ ଉପରେ ଗୁରୁତ୍ୱ ଦେବା ଦରକାର।
ଛୁଆ ପ୍ରଥମ ପ୍ରତିଯୋଗିତା ତା’ ସାଙ୍ଗ ସହ କରେ
-ଦେବ ରଞ୍ଜନ, ବୃତ୍ତ ଚିତ୍ର ନିର୍ମାତା, ମାନବାଧିକାର କର୍ମୀ

ଗୋଟେ ସମୟରେ ରେଳ ଷ୍ଟେଶନରେ ମିଳୁଥିବା ପୁସ୍ତକ ‘How to success in life’ ସର୍ବାଧିକ ବିକ୍ରି ପୁସ୍ତକ ଥିଲା। ମାତାପିତାଙ୍କ ନଜର ସବୁଠାରୁ ଆଗରେ ପଡ଼ିଥିବ ସେଇଠି ଯଦିଓ ପିଲାଟି କିଛି କୌତୁକ ପୁସ୍ତକ ଖୋଜୁଥିବ ସେତିକିବେଳକୁ। ନିଜର ସମସ୍ତ ଅଧୁରା ସ୍ବପ୍ନକୁ ସେମାନେ ପିଲାଙ୍କ ଉପରେ ଲଦି ଦେଉଥିଲେ। ଆଉ କହୁଥିଲେ ତତେ ଆଗକୁ ଏମିତି ପଢ଼ିବାର ଅଛି, ଏଇୟା କରିବାର ଅଛି। ଆଉ ସବୁବେଳେ ଅନ୍ୟ ସାଙ୍ଗସାଥୀଙ୍କ ସହ ତୁଳନା କରନ୍ତି। ଛୁଆ ତେଣୁ ପ୍ରଥମ ପ୍ରତିଯୋଗିତା ନିଜର ସାଙ୍ଗ ସହିତ କରେ। ଆସ୍ତେ ଆସ୍ତେ ତା ଭିତରେ ମାନସିକ ଅବସାଦ ବି ବଢ଼େ। ଡାକ୍ତର କହୁଛନ୍ତି ‘ ୯୦% ପିଲାଙ୍କ ଭିତରେ ଅବସାଦ ବେମାରି ରହିଛି। ’ ଏହାର କୌଣସି ସହଜ ସମାଧାନ ନାହିଁ। ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ।
ଶିଶୁ ପାଇଁ ଏକ ଶୃଙ୍ଖଳିତ ସ୍ବାଧୀନତାର
ଆବଶ୍ୟକତା ରହିଛି
– ଡା. ଗୌରୀଶଙ୍କର ପଣ୍ଡା,ସମ୍ପାଦକ, ସ୍ବାସ୍ଥ୍ୟସ୍ବର, ସୋନପୁର

ଅନେକସ୍ଥଳରେ ଅଭିଭାବକ ଓ ଶିକ୍ଷକଙ୍କ ଆଦର୍ଶ ଏବଂ ଉଚ୍ଚାକାଂକ୍ଷା ମଧ୍ୟରେ ଶିଶୁର ସ୍ବାଧୀନତା ପ୍ରଭାବିତ ହୋଇଥାଏ। ନିଜର ସ୍ବପ୍ନ ତଥା ଇଚ୍ଛାକୁ ଜବରଦସ୍ତି ଶିଶୁ ଉପରେ ଲଦି ଦିଆଯାଏ, ଯଦ୍ଦ୍ବାରା ଶିଶୁ ଗଭୀର ଚାପଗ୍ରସ୍ତ ରହେ ଏବଂ ତା’ର ବୌଦ୍ଧିକ ବିକାଶ ବାଧାପ୍ରାପ୍ତ ହୁଏ ା ଶିଶୁମାନେ ଖୁବ୍‌ ସମ୍ବେଦନଶୀଳ। ତେଣୁ ଶିଶୁ ମନସ୍ତତ୍ତ୍ବକୁ ଠିକ୍‌ ଭାବେ ବୁଝିବାକୁ ପଡ଼ିବ। ଅପରପକ୍ଷେ, କୋମଳମତି ଶିଶୁକୁ ଅତ୍ୟଧିକ ସ୍ବାଧୀନତା ଦେଲେ ସେ ବିଶୃଙ୍ଖଳିତ ବା ସ୍ବେଚ୍ଛାଚାରୀ ହୋଇଯିବାର ମଧ୍ୟ ଆଶଙ୍କା ରହିଛି। ଶିଶୁ ପାଇଁ ଏକ ଶୃଙ୍ଖଳିତ ସ୍ବାଧିନତାର ଆବଶ୍ୟକତା ପାଇଁ ଉପଯୁକ୍ତ ଶିକ୍ଷା ଓ ସଂସ୍କାର ଦରକାର। ଶୃଙ୍ଖଳିତ ସ୍ବାଧୀନତା ପାଇଥିବା ଶିଶୁ ପରବର୍ତ୍ତୀ ସମୟରେ ଦାୟିତ୍ୱବାନ ହୋଇଥାଏ।
ସ୍ବାଧୀନତା ଗୋଟିଏ ଅସମ୍ଭବ ଶବ୍ଦ
ଆମ ଭଳି ପିଲାଙ୍କ ପାଇଁ
-ସ୍ବୟଂଶ୍ରୀ, ଛାତ୍ରୀ, କେନ୍ଦ୍ରୀୟ ବିଦ୍ୟାଳୟ, ପୋଖରୀପୁଟ

ଆମ ଉପରେ ସବୁବେଳେ ଗାଳି ହୁଏ ଯେ, ଆମେ ବଡ଼ମାନଙ୍କ ମୁହଁରେ ଜବାବ ଦେଇ ତାଙ୍କର ଅସମ୍ମାନ କରୁ। ପ୍ରକୃତରେ ନିଜ ନିଜ ମତାମତ ଦେବାକୁ ମାଆବାପା ଏବଂ ଗୁରୁଜନମାନେ ଭାବନ୍ତି ମୁହେଁ ମୁହେଁ ଜବାବ ଦେଉଛୁ। ଆମର ନିର୍ଦ୍ଦିଷ୍ଟ ସ୍ବପ୍ନ ଅଛି। ଆମେ ଭବିଷ୍ୟତରେ କ’ଣ ହେବୁ ସେ କଥା ଯଦି ଅଭିଭାବକ ସ୍ଥିର କରିବେ ତେବେ ସେ ସ୍ବପ୍ନର କ’ଣ ହେବ ? ମୋର ଯାହା କରିବାର ଅଛି ତାହା ତ ମୁଁ କରିପାରିବି ନାହିଁ। ମୋ ଭଳି ଅନେକ ପିଲା ଥିବେ। ଆମ ଅଭିଭାବକଙ୍କ ପାଇଁ ପିଲାଙ୍କ ଖୁସି ଅପେକ୍ଷା ଅନ୍ୟମାନଙ୍କ କଥା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ। ଆମ ଦ୍ୱାରା କୌଣସି କାମ କରିବାର ଥିଲେ ଆମେ ବଡ଼ ପିଲା, ଆଉ କୌଣସି କଥାରେ ମତାମତ ଦେଲା ବେଳକୁ କି ଦାବି କଲାବେଳକୁ ଆମେ ଛୋଟ ପିଲା। ତେଣୁ ବଡ଼ମାନେ ପିଲାଙ୍କ କଥା ବୁଝିବା ଉଚିତ।
ଶୃଙ୍ଖଳା ଆଉ ଶୃଙ୍ଖଳାହୀନତା ଉଭୟେ ପିଲାଙ୍କ ପାଇଁ କ୍ଷତିକାରକ। ପିଲାଙ୍କ ପାଇଁ ହୁଏତ ମଧ୍ୟମପନ୍ଥା ଜରୁରୀ। ଆମକୁ ଯତ୍ନବାନ ହେବାକୁ ପଡ଼ିବ ଯେପରି ବଗିଚା ସୁରକ୍ଷିତ ରହେ ଏବଂ କଢ଼ଗୁଡ଼ିକ ଠିକ୍‌ ରୂପେ ଫୁଟିପାରନ୍ତି। ମାତ୍ର ଫୁଲର ସୌରଭ ଏବଂ ସୌନ୍ଦର୍ଯ୍ୟକୁ ଆମେ ଯେପରି ଆମର ସମ୍ପତ୍ତି ବୋଲି ନ ଭାବୁ।

-ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ, ବାଲିପୁଟ, ପୁର


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri