ବଚନ ମଧୁର ତିଳକ ସରୁ

ଡ. ଗୌରହରି ରାଉତ

କାଳୁବାବୁଙ୍କ ନାଁ ଆମ ଖଣ୍ଡମଣ୍ଡଳରେ ଡାକ୍‌। ପିଲା ପେଚକାଠାରୁ ପୁରୁଖା ପର୍ଯ୍ୟନ୍ତ ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନ ଥିବେ। ସେ ଜଣାଶୁଣା କେବଳ ତାଙ୍କ ମଧୁର କଥା ପାଇଁ। ଶର ପକେଇ କଥା ହେବାରେ ସେ ପକା ଓସ୍ତାଦ। ଏମିତି ଖିଅକୁ ଖିଅ ଯୋଡ଼ି ମିଠା କଥାରେ ଚାଲିଗଲା ଲୋକକୁ ଦଣ୍ଡେ ଠିଆ କରେଇ ଦେବେ ଯେ ଲୋକଟି ଉପରେ କିଛି କହି ନ ପାରିଲେ ବି ଭିତରେ ଭାରି ବିକଳ ବିଳାପ କରୁଥାଏ କେମିତି ତାଙ୍କ କବ୍‌ଜାରୁ ଖସିବେ, ହେଲେ କାଳୁବାବୁ କି ଛାଡ଼ିବା ଜନ୍ତୁ ? କେତେ ଭଙ୍ଗୀରେ, କେତେ ଠାଣିରେ ଗପିଚାଲିଥିବେ। କଥାର ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନ ଥାଏ- ମାତ୍ର ସେ ଫେଣେଇ ଫେଣେଇ କଥା ଲମ୍ବାଉଥାନ୍ତି ପଛକୁ ପଛ। କିନ୍ତୁ ଏ ସବୁ ଭିତରେ କିଛି ମହତ୍‌ ଉଦ୍ଦେଶ୍ୟ ତାଙ୍କର ଥାଏ। କେଉଁ ଲୋକ ପାଖରୁ କି ଫାଇଦା ହାସଲ କରିହେବ- ତାକୁ ନଜରରେ ରଖି କାଳୁବାବୁ ମଧୁର କଥାର ଖିଅ ଯୋଡ଼ୁଥାନ୍ତି। ଯିଏ ତାଙ୍କ ହାବୁଡ଼ରେ ପଡ଼ିଲା, ତା’ର ଶନିଦଶା ଆସିଲା ବୋଲି ଜାଣ। ସେଥିପାଇଁ ତାଙ୍କୁ ଜାଣିଥିବା ଲୋକେ ଖଣ୍ଡେ ଦୂରରୁ ବାଟ ଭାଙ୍ଗନ୍ତି। ମିଠା କଥା କହି ମନ ମୋହୁଥିବା ଇଏ ଆମ କାଳୁବାବୁ।
ଆଜ୍ଞା, ଏଭଳି ମହାତ୍ମାଙ୍କ ଫାଶରେ ଆପଣମାନଙ୍କ ଭିତରୁ କେହି ନା କେହି ପଡ଼ିଥିବେ, ଛଟପଟ ବି ହୋଇଥିବେ। ଆପଣଙ୍କ ପେଟ ପୂରିଲାପରି ଭାରି ଧୀର ମଧୁର କଥା କହି ନିଜର ସ୍ବାର୍ଥ ହାସଲ କରିବାର ଫନ୍ଦିଫିକର କରୁଥିବା ଏଭଳି ମହାନ୍‌ ବ୍ୟକ୍ତିବିଶେଷ ଆମ ଚାରିପାଖରେ ଚରନ୍ତି, ଆମ ତୁମ ଭଳି ସରଳ ହୃଦୟ ସମ୍ପନ୍ନ ମଣିଷଙ୍କୁ ଦେଖିଲେ ମଧୁର କଥାର ଜାଲରେ ଫସାନ୍ତି। କିଏ ଏମାନଙ୍କ କଥାରେ ଭଳିବ – ପଦେ ଦି’ ପଦ କଥାରୁ ଭଲଭାବରେ ଜାଣିପାରନ୍ତି ଏମାନେ। ‘ବଚନେ କା ଦରିଦ୍ରତା’ – ଏଭଳି ନୀତିବାଣୀରେ ପ୍ରଥମେ ବଶୀଭୂତ କରନ୍ତି। ଲୋକଟିଏ ତାଙ୍କ ଅକ୍ତିଆରକୁ ଆସିଗଲା ବୋଲି ଜାଣିଲାପରେ ଫାଇଦା ହାସଲର ପ୍ରସଙ୍ଗ ଉଠାନ୍ତି। ସେତେବେଳକୁ ତାଙ୍କ କଳ୍ପିତ ଯନ୍ତାରୁ ବର୍ତ୍ତିବାର ଆଉ ଜୁ ନ ଥାଏ – ଯେମିତି ସମ୍ପୂର୍ଣ୍ଣ କାବୁ କଲାପରେ ଶିକାରର ତଣ୍ଟି କଣା କରି ରକ୍ତ ପିଇଥାଏ ବାଘ।
ମୋର ଜଣେ ବନ୍ଧୁ କାଳୁବାବୁଙ୍କ ପରି ମଧୁର କଥା କହୁଥିବା ଲୋକର ଫନ୍ଦିରେ ଫସି କିପରି ସର୍ବସ୍ବାନ୍ତ ହେଲା, ସେ ସମ୍ପର୍କରେ ଆଲୋଚନା କରିବାର ପରିସର ଏ ନୁହେଁ। ମାତ୍ର ତଣ୍ଟି କଣାକରି ରକ୍ତ ପିଉଥିବା ଏଭଳି ମଧୁର ଭକ୍ତିଆ ବ୍ୟକ୍ତିମାନେ ଯେ କେତେ କାଇଦାରେ ସରଳମନା ଲୋକମାନଙ୍କୁ ନିଜ ପାଲରେ ପକାଇପାରନ୍ତି ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। କେତେ ବାଗରେ ଏମାନେ ଆସନ୍ତି, ପାଖରେ ବସନ୍ତି, ରସରସିଆ ମଧୁର ଗପର ଆସର ଜମାନ୍ତି ଆଉ ଶେଷରେ ସୁବିଧା ଦେଖି କଳାକନା ବୁଲାନ୍ତି l ଏତେ ସବୁ କଲାପରେ ବି ସହଜରେ ଧରାପଡ଼ନ୍ତି ନାହିଁ l ଲୋକଙ୍କ ମନରେ ଏମିତି ଭାବରେ ସରଳ ବିଶ୍ୱାସ ଜନ୍ମାଇଥାନ୍ତି ଯେ ତାଙ୍କୁ ଅବିଶ୍ୱାସ କରିବାର ପ୍ରଶ୍ନ ହିଁ ନ ଥାଏ l
କାଳୁବାବୁଙ୍କ ପରି ଅନେକ ଚରିତ୍ର ଆମ ଚାରିପାଖରେ ଅଛନ୍ତି – ଯେଉଁମାନେ ଉପରେ ମଧୁର କଥା କହି ନିଜର ଫାଇଦା ଉଠାଇଥାନ୍ତି। କଥା ସିନା କହୁଥାନ୍ତି ରସରସିଆ, କିନ୍ତୁ ଭିତରେ ଚିନ୍ତାକରୁଥାନ୍ତି ଲୁତପୁତିଆ। ପେଟ ଭିତରେ ଅନେକ ଆବର୍ଜନା ହେଲେ ଅତର ସିଞ୍ଚା ମୁହଁରୁ ଆସୁଥାଏ ମହମହ ବାସ୍ନା। ଅନ୍ୟ ଅର୍ଥରେ କହିଲେ – ପେଟରେ ବିଷ ମୁହଁରେ ହସ। ହସି ରସି ମଧୁର କଥାରେ କାମ ହାସଲ କରୁଥିବା ଲୋକଙ୍କୁ ଆମେ କହୁ ‘କାମ ସଙ୍ଗାତ l’ କାମ ଥିଲା ପର୍ଯ୍ୟନ୍ତ ସିନା ସାଙ୍ଗ, କାମ ସରିଲେ ଆଉ କି ସାଙ୍ଗ ? ଏଭଳି ଲୋକଙ୍କ ସମ୍ପର୍କରେ ଚାଣକ୍ୟ ଯଥାର୍ଥରେ କହିଛନ୍ତି ଯେ,ସାମ୍ନାରେ ମଧୁର କଥା କହି ପରୋକ୍ଷରେ ଅନିଷ୍ଟ ଚିନ୍ତା କରୁଥିବା ମିତ୍ରଙ୍କୁ ତ୍ୟାଗ କରିବା ଉଚିତ l
କାରଣ ତାଙ୍କ ମୁଖରେ ଅମୃତତୁଲ୍ୟ ବଚନ ଥିଲେ ବି ପେଟ ଭିତରେ ଥାଏ ବିଷ l ତେଣୁ ଏମାନଙ୍କୁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ, ନଇଲେ ସର୍ବନାଶ l
ଆଉ ଠାଏ ବି ମହାମତି ଚାଣକ୍ୟ କହିଛନ୍ତି… ‘ଶୃଙ୍ଗିନୋ ଦଶହସ୍ତେନ ସ୍ଥାନତ୍ୟାଗେନ ଦୁର୍ଜନ l’
ସୁତରାଂ ସାଧୁ ସାବଧାନ – କାଳୁବାବୁଙ୍କ ପରି ଲୋକଙ୍କୁ ସତର୍କ ଦୃଷ୍ଟି ରଖି ମହାମାନ୍ୟ ଚାଣକ୍ୟ ବାଣୀକୁ ହେଜି ବାଟ ଚାଲିଲେ ବିପଦ ନ ପଡ଼ଇ ହେଳେ। ଆମ ଭାଷାରେ : ବଚନ ମଧୁର ତିଳକ ସରୁ, ଏମାନେ ଅସଲ ଠକଙ୍କ ଗୁରୁ।
ଇ ୨୪/୩, ୟୁନିଟ-୯
ଭୁବନେଶ୍ୱର, ମୋ: ୮୭୬୩୮୫୩୨୪୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri