Categories: ଖେଳ

କଳିଙ୍ଗରେ ହେବ ମହିଳା ଏସିଆନ କପ୍‌

କୁଆଲାଲମ୍ପୁର,୨୭।୩(ପି.ଟି.): ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ବିଶ୍ୱସ୍ତରୀୟ ଫୁଟ୍‌ବଲ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବ। ଏହି ଇଭେଣ୍ଟର ଅନ୍ୟତମ ଭେନ୍ୟୁ ରୂପେ ଭୁବନେଶ୍ୱରକୁ ବଛାଯାଇଛି। ସେହିପରି ନଭି ମୁମ୍ବାଇ ଓ ଅହମଦାବାଦରେ ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ଏହି ମହାଦେଶୀୟ ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଆରମ୍ଭ ହୋଇ ଫେବୃୟାରୀ ୬ ତାରିଖରେ ଶେଷ ହେବ ବୋଲି ଏସିଆନ ଫୁଟ୍‌ବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ ଘୋଷଣା କରାଯାଇଛି। ଏହାପରେ ଭାରତ ମଧ୍ୟ ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ୱକପ୍‌ ଆୟୋଜନ କରିବ ବୋଲି ସ୍ଥିରୀକୃତ ହୋଇଛି।
ଏସିଆ ମହାଦେଶରେ ମହିଳା ଫୁଟ୍‌ବଲ ବିଶ୍ୱସ୍ତରୀୟ ବୋଲି ଏଏଫ୍‌ସି ସାଧାରଣ ସମ୍ପାଦକ ଡାଟୋ’ ଓ୍ବିଣ୍ଡସୋର ଜନ କହିଛନ୍ତି। ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ଲୋକାଲ ଅର୍ଗାନାଇଜିଂ କମିଟି (ଏଲ୍‌ଓସି) ଟୁର୍ନାମେଣ୍ଟ ପାଇଁ ଏହି ଭେନ୍ୟୁଗୁଡିକୁ ବାଛିଛନ୍ତି। ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମ, ଅହମଦାବାଦର ଟ୍ରାନ୍ସଷ୍ଟାଡିଆ ଓ କଳିଙ୍ଗ ଷ୍ଟାଡିୟମରେ ଟୁର୍ନାମେଣ୍ଟର ସବୁ ମ୍ୟାଚ୍‌ଗୁଡିକ ଖେଳାଯିବ।
ଏଆଇଏଫ୍‌ଏଫ୍‌ ଓ ଏଲ୍‌ଓସି ସମେତ ୩ଟି ଆୟୋଜକ ସହର ନିକଟରେ ଏଏଫ୍‌ସି କୃତଜ୍ଞ ହୋଇ ରହିବ। ସଫଳତାର ସହ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ ଓ ମହିଳା ଫୁଟ୍‌ବଲ ଏସିଆରେ ନୂଆ ସୋପାନରେ ପହଞ୍ଚିବ ବୋଲି ଜନ କହିଛନ୍ତି। ଏଆଇଏଫ୍‌ଏଫ୍‌ ଓ ଏଲ୍‌ଓସି ଏହି ଟୁର୍ନାମେଣ୍ଟ ଆୟୋଜନ କରିବାରେ ସଫଳ ହେବେ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି।
ସେହିପରି ନୂଆବର୍ଷ ପ୍ରାରମ୍ଭରେ ମହିଳା ଏସିଆନ କପ୍‌ ଆୟୋଜନ କରିବାକୁ ଆମେ ବେଶ୍‌ ଉତ୍ସାହିତ ରହିଛୁ ବୋଲି ଏଆଇଏଫ୍‌ଏଫ୍‌ ତଥା ଫିଫା କାଉନସିଲ ମେମ୍ବର ପ୍ରଫୁଲ୍ଲ ପଟେଲ କହିଛନ୍ତି। ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ଫୁଟ୍‌ବଲ ଭିତ୍ତିଭୂମିର ବିକାଶ ପାଇଁ ବହୁତ କିଛି କାର୍ଯ୍ୟ କରାଯାଇଛି। ନଭି ମୁମ୍ବାଇରେ ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ ସଫଳତାର ସହ ଆୟୋଜିତ ହୋଇଥିଲା। ଏବେ ଭୁବନେଶ୍ୱର ଓ ଅହମଦାବାଦକୁ ଏହି ଟୁର୍ନାମେଣ୍ଟ ନେବା ଦ୍ୱାରା ଦେଶରେ ଫୁଟ୍‌ବଲର ସାମଗ୍ରିକ ବିକାଶ ହେବ ବୋଲି ସେ କହିଛନ୍ତି। ଏହି ଟୁର୍ନାମେଣ୍ଟର କ୍ୱାଲିଫାୟର୍ସ ସେପ୍ଟେମ୍ବର ୧୩ରୁ ୨୫ ତାରିଖ ମଧ୍ୟରେ ଆୟୋଜନ କରାଯିବ। ଏଏଫସି କାର୍ଯ୍ୟାଳୟରେ ମେ’ ୨୭ ତାରିଖରେ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ସ୍ଥିର କରାଯିବ।

Share