Categories: ଜାତୀୟ

ଗୁରୁତର ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଡାକ୍ତରଖାନା ନେଲେ ମହିଳା ଇନ୍ସପେକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୧୨ା୧୧: ତାମିଲନାଡୁର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଏହି ସମୟରେ ଏଠାରୁ ଏକ ହୃଦୟକୁ ଛୁଇଁଗଲା ପରି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ମହିଳା ଇନ୍ସପେକ୍ଟର ଗଛ ପଡ଼ି ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ସିଧା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଏହି ମହିଳା ଇନ୍ସପେକ୍ଟରଙ୍କ ନାମ ରାଜେଶ୍ୱରୀ। ତାଙ୍କର ଏପରି ସାହସିକତା କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଉଛି।

ଭିଡିଓରେ ଦେଖିବାକୁ ମିଳିଛି, ବେହୋସ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ରାଜେଶ୍ୱରୀ କାନ୍ଧକୁ ଉଠାଉଛନ୍ତି। ଏହା ପୂର୍ବରୁ ବ୍ୟକ୍ତିଙ୍କୁ ଗାଡ଼ିରେ ନେବା ପାଇଁ ଚେଷ୍ଟା କରାଯାଇଥିଲା। ମାତ୍ର କୌଣସି କାରଣ ବଶତଃ ନିଆଗଲା ନାହିଁ। ଏହା ପରେ ରାଜେଶ୍ୱରୀ ପହଞ୍ଚି ନିଜେ କାନ୍ଧରେ ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ରାଜେଶ୍ୱରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଚେନ୍ନାଇ ପୋଲିସ ଆୟୁକ୍ତ ଶଙ୍କର ଜିଓ୍ବାଲ କହିଛନ୍ତି, ରାଜେଶ୍ୱରୀ ସବୁ ସମୟରେ ଏପରି ସାହସିକତା କାମ କରିଥାନ୍ତି। ଆଜି ରାସ୍ତାରେ ଗଛ ପଡ଼ି ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ସେ କାନ୍ଧରେ ପକାଇ ଡାକ୍ତରଖାନା ନେଇଥିଲେ।

ସୂଚନାରୁ ଜଣାପଡ଼ିଛି ଗୁରୁତର ବ୍ୟକ୍ତିଙ୍କ ନାମ ଉଦୟ କୁମାର। ସେ ଗୁରୁବାର ଏକ କବରସ୍ଥାନ ନିକଟରେ ବେହୋସ ହୋଇ ପଡ଼ିଥିଲେ। ପ୍ରବଳ ବର୍ଷା ଯୋଗୁ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ସ୍ଥିତି ବେହାଲ ହୋଇପଡ଼ିଛି। ଚେନ୍ନାଇର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। କିଛି ଅଞ୍ଚଳରେ ଗଛ ପଡ଼ି ଲୋକେ ଗୁରୁତର ହୋଇଛନ୍ତି।

Share