୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ

ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରଜରାଜନଗର ଥାନା ଚାରଭାଟି ଗ୍ରାମର ରଜନୀ ଭୂଏ(୩୨)। ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ଝାରସୁଗୁଡ଼ା ଟାଉନ ଥାନାରେ ରଜନୀଙ୍କ ନାମରେ ଗତ ୧୭ ତାରିଖରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୩୦୧/୨୧) ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଭୟରେ ରଜନୀ ଫେରାର ଥିଲେ। ଲଇକେରା ଗ୍ରାମର ଜଣେ ବନ୍ଧୁଙ୍କ ଘରେ ସେ ରହିଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ରବିବାର ଗିରଫ କରିଥିଲା।

ଅଭିଯୋଗରୁ ଜଣାପଡିଛି, ସମାଜ ସେବିକା ମହିଳା ସଙ୍ଗଠନ ନାମରେ ରଜନୀ ୫ବର୍ଷ ହେଲା ଏକ ସଂସ୍ଥାକରି ଜିଲାର ସମସ୍ତ ବ୍ଲକ୍‌ ଓ ପୌରାଞ୍ଚଳର ଏସ୍‌ଏଚ୍‌ଜି ଗ୍ରୁପ ମହିଳାମାନଙ୍କୁ ବିଭିନ୍ନ ସରକାରୀ ସହାୟତା ଯୋଗାଇଦେବାକୁ କହି ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଇଛନ୍ତି। ସେ ନିଜକୁ ସରକାରୀ ପ୍ରତିନିଧି ବୋଲି ପରିଚୟ ଦେବା ସହ ସରକାରୀ ଯୋଜନାରେ ପକ୍କାଘର, ରାଶନ କାର୍ଡ, ଭତ୍ତା ଓ ବିଭିନ୍ନ ଋଣ ଆଦି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇ ମହିଳାମାନଙ୍କ ନିକଟରୁ ଟଙ୍କା ଅସୁଲ କରୁଥିଲେ। ପରେ ପ୍ରତିଶ୍ରୁତି ରକ୍ଷା ନ କରିବାରୁ ମହିଳାମାନେ ସନ୍ଦେହକରି ଅଭିଯୋଗ କରିଥିଲେ।