Categories: ଖେଳ

ଆର ଅଶ୍ୱିନଙ୍କୁ ନେଇ ବଡ ଖୁଲାସା କଲେ ସ୍ତ୍ରୀ

ମେଲବୋର୍ନ,୨୯।୧୨: ଐତିହାସିକ ମେଲବୋର୍ନ ଟେଷ୍ଟରେ ଅଜିଙ୍କେ ରାହାନେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଚାରି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆଠାରୁ ଏକ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ ୮ ଉଇକେଟ ଜିତିଥିଲା। ଭାରତର ଏହି ବିଜୟରେ ଭାରତର ଷ୍ଟାର ବୋଲର ଆର ଅଶ୍ୱିନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପରେ ତାଙ୍କ ସ୍ତ୍ରୀ ପ୍ରୀତିଙ୍କ ବିବୃତ୍ତି ଆସିଛି। ମେଲବୋର୍ନ ଟେଷ୍ଟରେ ଅଶ୍ୱିନ ମୋଟ ୫ ଉଇକଟ ନେଇଥିଲେ। ୩୪ ବର୍ଷିୟା ପ୍ରୀତି ନିଜ ଟୁଇଟରରେ ଟିମ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ବକ୍ସିଂ ଡେ’ ଟେଷ୍ଟ ଜିତିବା ପରେ ଅଶ୍ୱିନ କେତେ ଖୁସି ଅଛନ୍ତି, ସେ ଆଜି ପର୍ଯ୍ୟନ୍ତ ତାଙ୍କୁ ଏତେ ଖୁସିରେ ଦେଖି ନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି। ପ୍ରୀତି ଲେଖିଛନ୍ତି ଯେ, ଅଶ୍ୱିନ ଖେଳୁଥିବା ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍‌ ପରେ ମୁଁ ତାଙ୍କ ସହ କଥା ହୁଏ। କିନ୍ତୁ ଏହି ୧୦ ବର୍ଷ ମଧ୍ୟରେ, ମୁଁ ତାଙ୍କୁ ଏତେ ଖୁସି, ସନ୍ତୁଷ୍ଟ ଏବଂ ତାଙ୍କ ଆଖିରେ ଏତେ ଖୁସି କେବେ ଦେଖି ନାହିଁ। ସୂଚନାଯୋଗ୍ୟ, ଆସନ୍ତା ଜାନୁଆରୀ ୭ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ଉପରେ ଟିମ ଇଣ୍ଡିଆର ଧ୍ୟାନ ରହିଛି। ଏହା ପରେ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ୧୫ରୁ ୧୯ ଜାନୁୟାରୀ ପର୍ଯ୍ୟନ୍ତ ବ୍ରିସବେନରେ ଖେଳାଯିବ।

Share