ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

କୁଜଙ୍ଗ,୨୫।୫ (ଡି.ଏନ୍‌.ଏ.): ରାଜୀବଗାନ୍ଧୀ ସେବା କେନ୍ଦ୍ରର ଗୃହରେ ବସାଇ ଦିଆଯାଉ ନ ଥିବା ଅଭିଯୋଗ କରି କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ପଞ୍ଚାୟତ ମହିଳା ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି। ଏଥିସହ ମହିଳାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଫାଟକରେ ତାଲା ପକାଇ ଘେରାଉ କରିଥିଲେ। ଏହାକୁ ନେଇ ସରପଞ୍ଚ ଓ ମହିଳା ମହାସଂଘ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ମହିଳା ମହାସଂଘ ସଦସ୍ୟାଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତସ୍ତରରେ ସଭାସମିତି ଓ ଆଲୋଚନା କରିବା ନିମନ୍ତେ ଏକ ଗୃହର ଆବଶ୍ୟକତା ଥିଲା ା ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ପଞ୍ଚାୟତର ରାଜୀବଗାନ୍ଧୀ ସେବା କେନ୍ଦ୍ର ଗୃହରେ ମିଟିଙ୍ଗ କରନ୍ତି ା ମାତ୍ର ନବନିର୍ବାଚିତ ସରପଞ୍ଚ ଶ୍ରୀନିବାସ ସ୍ବାଇଁ ସେମାନଙ୍କୁ ଉକ୍ତ ଘରେ ବସିବାକୁ ଅନୁମତି ନ ଦେଇ ପଞ୍ଚାୟତ କାର୍ଯ୍ୟାଳୟର ଅନ୍ୟ ଏକ କୋଠରୀରେ ବସିବା ପାଇଁ କହିଥିଲେ। ଏଥିସହ ଉକ୍ତ କୋଠରୀରେ ତାଲା ପକାଇ ଦେଇଥିଲେ ା ମାତ୍ର ମହିଳାମାନେ ରାଜୀବଗାନ୍ଧି ସେବା କେନ୍ଦ୍ର ଗୃହରେ ବସିବା ପାଇଁ ଜିଦ୍‌ ଧରି ଧାରଣାରେ ବସିଥିଲେ। ଏ ସମ୍ପର୍କରେ ସରପଞ୍ଚ ସ୍ବାଇଁ କହିଛନ୍ତି, ରାଜୀବଗାନ୍ଧି ସେବା କେନ୍ଦ୍ର ଗୃହ ମରାମତି ହେବ। ତେଣୁ ମହିଳାମାନଙ୍କୁ ଅନ୍ୟ ଏକ ଘରେ ବସିବାକୁ କୁହାଯାଇଥିଲା। ମାତ୍ର ଏଥିରେ ସେମାନେ ରାଜି ହେଉ ନାହାନ୍ତି। ଏ ସମ୍ପର୍କରେ ବିଡିଓଙ୍କୁ ଜଣାଯାଇଥିଲା। ଏହାପରେ ବିଡିଓ ଏବଂ ଓଏଲ୍‌ଏମ୍‌ଙ୍କ ପକ୍ଷରୁ ମହାସଂଘକୁ ଚିଠି କରାଯାଇଥିଲା। ମାତ୍ର ଏହାକୁ ମହାସଂଘର ସଦସ୍ୟାମାନେ କର୍ଣ୍ଣପାତ କରୁ ନ ଥିଲେ। ଏନେଇ ବାଧ୍ୟ ହୋଇ ସେଠାରେ ତାଲା ପକଯାଇଛି। ଏହି ଘଟଣା ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି ା ସେ ଯାହା ପଦକ୍ଷପ ନେବେ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି ସରପଞ୍ଚ ସ୍ବାଇଁ କହିଛନ୍ତି। ମହାସଂଘର ସଭାପତି ମଞ୍ଜୁଲତା ରାଉତ ଏହାର ନେତୃତ୍ୱ ନେଇଥିଲେ। ଏହି ଧାରଣାରେ ପଞ୍ଚାୟତ ମହାସଂଘର ସଭାପତି ମଞ୍ଜୁଲତା ରାଉତ, ତ୍ରୀବେଣୀ ସାମଲ, ପ୍ରବିଣା ପରିଡା ଓ ରାଣୀ ସାମଲ ପ୍ରମୁଖ ସାମିଲ ହୋଇଥିଲେ।