ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା

ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରୁଛନ୍ତି। ଏଭଳି ସମୟରେ ତାଙ୍କର ଅବଦାନ ଅତୁଳନୀୟ। ହେଲେ ଏଭଳି ଜଣେ ମହିଳା ଅଛନ୍ତି ଯେ, ଯିଏ ନିଃସ୍ବାର୍ଥପର ଭାବେ ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ମାଗଣାରେ ଲୋକଙ୍କ ନିକଟରେ ଔଷଧ ପହଞ୍ଚାଉଛନ୍ତି। ଏହି ଦୃଶ୍ୟ ହେଉଛି ଛତିଶଗଡ଼ର ସରଗୁଜା ଜିଲାର ସୁର ଗାଁର। ନିଷିଦ୍ଧାଞ୍ଚଳରେ ଆସୁଥିବା ଏହି ସୁର ଗାଁ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ। ସ୍ବାଧିନତାର ଏତେ ବର୍ଷ ପରେ ଏହି ଗାଁ ଏତେଟା ବିକଶିତ ହୋଇ ନ ଥିବା ବେଳେ ଏଠାକାର ଲୋକମାନେ ସମସ୍ତ ମୌଳିକ ଅଧିକାରରୁ ଆଜି ବି ବଞ୍ଚିତ। ତେବେ ସେମାନଙ୍କର ସହାୟତା ପାଇଁ ଦୀର୍ଘ ୧୦ବର୍ଷରୁ ଜଣେ ନର୍ସ ଅଣ୍ଟା ଭିଡିଛନ୍ତି। ୫୫ବର୍ଷୀୟ ମୁଦଗଲୀ ତିର୍କି ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି। ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ସେ ସପ୍ତାହକୁ ୨ଥର ସୁର ଗାଁକୁ ଯାଇଥାନ୍ତି। ସେଠାକାର ଲୋକଙ୍କୁ ମାଗଣାରେ ଔଷଧ ଦେବା ସହ ଆବଶ୍ୟକୀୟ ସାମଗ୍ରୀ ଓ ପିଲାଙ୍କ ପାଇଁ ଦଲିଆ ଓ ସୁଜି ମଧ୍ୟ ଯୋଗଇ ଦେଇଥାନ୍ତି। ମୁଦଗଲୀଙ୍କ ଏହି କାର୍ଯ୍ୟ ଯୋଗୁ ସେ ଗାଁର ପ୍ରିୟପାତ୍ର ହୋଇପାରିଥିବା ବେଳେ ଲୋକମାନେ ମଧ୍ୟ ତାଙ୍କୁ ଆପଣାର ମାନିଥାନ୍ତି। ତାଙ୍କ ପ୍ରଶଂସା କରିବାକୁ ଯାଇ କେବେ ଥକନ୍ତି ନାହିଁ। ଏତଦ୍‌ ବ୍ୟତୀତ ମୁଦଗଲୀ ଏଠାକାର ରୋଗାଗ୍ରସ୍ତ ଲୋକଙ୍କୁ ଚିକିତ୍ସା କରିବାଠାରୁ ଆରମ୍ଭ କରି ହସ୍ପିଟାଲ ନେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥାନ୍ତି। ଏପରିକି କେତେକ ଗର୍ଭବତୀଙ୍କର ମଧ୍ୟ ସେ ପ୍ରସବ କରାଇଥିବା କୁହାଯାଏ। ଜଙ୍ଗଲ ରାସ୍ତା ଦେଇ ଏକୁଟିଆ ଯିବା ଅସମ୍ଭବ ହୋଇଥିବାରୁ ତାଙ୍କ ସହ ଜଣେ ପୁରୁଷ କର୍ମଚାରୀ ମଧ୍ୟ ସେଠାକୁ ଯାଇଥାନ୍ତି। ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରୁଥିବା ମୁଦଗଲୀ କରୋନା ସମୟରେ ବି ନିଜର ସେବା ଜାରି ରଖିଛନ୍ତି। ତେବେ ତାଙ୍କର ଏହି ସେବା ମନୋଭାବ, କାର୍ଯ୍ୟନିଷ୍ଠା ଓ ବଳିଦାନ ସମସ୍ତ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ସବୁ ମହଲରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।

Share