Categories: ଫୁରସତ

ଫୋନ୍‌ରେ ଗପୁ ଗପୁ ସନ୍ତାନ ଜନ୍ମ ଦେଲେ ମହିଳା

ଲଣ୍ଡନ,୮।୫: ବ୍ରିଟେନ୍‌ରେ ରହୁଥିବା ଜଣେ ମହିଳା ମାତ୍ର ୨୭ ସେକେଣ୍ଡରେ ସନ୍ତାନ ଜନ୍ମ ଦେଇଛନ୍ତି। ଯାହାକି ଆଶ୍ଚର୍ଯ୍ୟଜନକ। ୨୯ ବର୍ଷୀୟା ସୋଫି କୁହନ୍ତି, ସେ ଏହି ସମୟରେ ବାଥ୍‌ରୁମ୍‌ ଯାଇଥିଲେ। ତାଙ୍କ ବନ୍ଧୁ ଫୋନ୍‌ କରିବାରୁ କଥା ବି ହେଉଥିଲେ। ମାତ୍ର ୨୭ ସେକେଣ୍ଡ ମଧ୍ୟରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ କହିଛନ୍ତି, ମୋତେ କୌଣସି ପ୍ରକାର କଷ୍ଟ ବି ହେଉ ନ ଥିଲା। ମୋ’ ଶରୀର ପ୍ରତି କୌଣସି କ୍ଷତି ହୋଇନାହିଁ। ମୋତେ ବିଶ୍ୱାସ ହେଉନି ଏମିତି ଡେଲିଭରି କେମିତି ହେଲା। ମୁଁ ବାଥ୍‌ରୁମ୍‌ ଯିବା ସମୟରେ ମୋ’ ସାଙ୍ଗ ଫୋନ୍‌ କରି ପଚାରିଲା କେମିତି ଅଛୁ। ମୁଁ କହିଲି ଠିକ୍‌ ଅଛି। ଏହି ସମୟରେ ମୋର କନ୍ୟାସନ୍ତାନ ଜନ୍ମ ହୋଇଥିଲା।

ସୋଫିଙ୍କ ସ୍ବାମୀ କ୍ରିସ୍‌ କୁହନ୍ତି, ସୋଫି ନିଜକୁ ସମ୍ଭାଳି ବେଶ୍‌ ଭଲ ଭାବରେ ବାଥ୍‌ରୁମ ଯାଇଥିଲେ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହା ମୁଁ ମଧ୍ୟ ବିଶ୍ୱାସ କରିପାରୁନି। ବାଥ୍‌ରୁମରେ କନ୍ୟା ହେବାର ଦେଖି ସୋଫି ସ୍ବାମୀଙ୍କୁ ଡାକ ପକାଇଥିଲେ। ଏହା ପରେ ସେ ଯାଇ ଉଭୟ ମା’ ଓ ଝିଅଙ୍କୁ ରୁମ୍‌କୁ ଆଣିଥିଲେ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ୨୦୧୩ରେ ଯେତେବେଳେ ସୋଫି ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ ସେତେବେଳେ ବି ତାଙ୍କୁ ମାତ୍ର ୧୨ ମିନିଟ୍‌ ଲାଗିଥିଲା। ସୋଫି କୁହନ୍ତି, ଯେହେତୁ ମୋର ପ୍ରଥମ ପିଲା ବି ଏମିତି ହୋଇଥିଲା ତେଣୁ ଦ୍ୱିତୀୟ ସନ୍ତାନ ଜନ୍ମ ହେବାରେ ମୁଁ ହଡ଼ବଡ଼େଇ ଯାଇ ନ ଥିଲି। ସୁସ୍ଥ ଆଉ ସ୍ଥିର ମସ୍ତିଷ୍କରେ ସ୍ବାମୀଙ୍କୁ ଡାକିଥିଲି। ସେ ମୋ ଡାକ ଶୁଣି ଆମ ମା ଛୁଆଙ୍କୁ ଘରକୁ ଆଣିଥିଲେ। ବର୍ତ୍ତମାନ ଉଭୟ ସୁସ୍ଥ ଥିବା ତାଙ୍କ ସ୍ବାମୀ କ୍ରିସ୍‌ କହିଛନ୍ତି।

Share