ଗାଧୋଇବାକୁ ଯାଇ କେନାଲରେ ବୁଡ଼ିଗଲେ ମହିଳା

ମୋରଡ଼ା,୩୦ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ କୋହି ପଞ୍ଚାୟତର ପ୍ରତାପଚନ୍ଦ୍ରପୁର ନିକଟ ସୁବର୍ଣ୍ଣରେଖା କେନାଲ ପାଣିରୁ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୋଲିସ।

ସୂଚନାନୁଯାୟୀ, ଆଜି ଅପରାହ୍ନରେ ଉକ୍ତ କେନାଲ ପାଣି ଭିତରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିଥିଲେ।

ମୃତକ ଜଣକ ହେଲେ ଶୁଳିଆପଦା ଥାନା ଅଧୀନ ଢେଙ୍କିନେଞ୍ଜିଆ ଅଞ୍ଚଳ ପର୍ବତସାହି ଗ୍ରାମର ବୁଦ୍ଧିରାମ ହାଁସଦାଙ୍କ ସ୍ତ୍ରୀ କାନ୍ଦ୍ରୀ(୫୦)। ଆଜି ମଧ୍ୟାହ୍ନରେ ଢେଙ୍କିନେଞ୍ଜିଆ ନିକଟସ୍ଥ ସୁବର୍ଣ୍ଣରେଖା କେନାଲକୁ ସେ ଗାଧୋଇବା ପାଇଁ ଯାଇ ଆଉ ଘରକୁ ଫେରି ନ ଥିଲେ। ତେବେ କାନ୍ଦ୍ରୀ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ପ୍ରତାପଚନ୍ଦ୍ରପୁର କେନାଲରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ଏହା କାନ୍ଦ୍ରୀ ବୋଲି ଚିହ୍ନିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।