Categories: ଜାତୀୟ

ବାପଘରକୁ ଯାଇ ଫେରିଲେନି ସ୍ତ୍ରୀ, ସ୍ବାମୀ କଲେ ଏମିତି ହାଇଭୋଲଟେଜ୍‌ ଡ୍ରାମା

ଜୟପୁର,୩୧।୩: ରାଜସ୍ଥାନର ଢୋଲପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଭଦୋରିଆପଡ଼ାରେ ରହୁଥିବା ଜଣେ ଯୁବକ ମଙ୍ଗଳବାର ଏକ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ଯୁବକ ଜଣକ ପ୍ରାୟ ୫୦ ଫୁଟ ଓସ୍ତଗଛ ଉପରକୁ ଚଢ଼ିଯିବାରୁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଯୁବକ ଜଣକ ଗଛକୁ ଚଢ଼ିବା ପରେ ଗୋଡ଼ ଦୁଇଟିକୁ ବାନ୍ଧି ଦେଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ସହ ଯୁବକଙ୍କୁ ତଳକୁ ଆସିବା ପାଇଁ ବହୁତ ବୁଝାଇଥିଲେ ମଧ୍ୟ ସେ ଓହ୍ଲାଇ ନ ଥିଲେ। ଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ଏବଂ ଶିଡ଼ି ଲଗାଇଥିଲା। ଗଛ ତଳେ ଗଦି ଧରି କିଛି ଲୋକ ଠିଆ ହୋଇଥିଲେ। ବହୁତ ସମୟ ଯୁବକଙ୍କୁ ବୁଝାଇବା ପରେ ସେ କ୍ରେନ୍‌ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ।

ଯୁବକ ତଳକୁ ଆସିବା ପରେ ପୋଲିସ ତାଙ୍କୁ ଏହାର କାରଣ ପଚାରିଥିଲା। ସେ କହିଥିଲେ, ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପଘରେ ଯାଇ ରହୁଛନ୍ତି। ଆଉ ତାଙ୍କ ପାଖକୁ ଫେରୁନାହାନ୍ତି। ଏହି ଯୁବକଙ୍କ ନାମ ଲହୋରେରାମ ଭଦୋରିଆ। ତାଙ୍କ ସ୍ତ୍ରୀ ସଙ୍ଗୀତା ବାଳା ନଗଲାସ୍ଥିତ ବାପଘରେ ୨ ବର୍ଷ ହେଲା ରହୁଛନ୍ତି। ଲହୋରେରାମଙ୍କ କହିବା କଥା ତାଙ୍କ ବାପଘର ଲୋକେ ସଙ୍ଗୀତାକୁ ନେଇଯାଇଥିଲେ। ପରେ ସେ ଆଉ ଫେରି ନ ଥିଲେ। ଏନେଇ ଲହୋରେରାମ ବହୁବାର ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ସେ ଆଜି ବାଧ୍ୟ ହୋଇ ଗଛରେ ଚଢ଼ି ଏମିତି ଡ୍ରାମା କରିଥିଲେ।

ଉପଜିଲାପାଳ ରାଧେଶ୍ୟାମ ମୀନାଙ୍କ କହିବା କଥା, ପୂରା ଘଟଣା ସମ୍ପର୍କରେ ଯୁବକଙ୍କୁ ପଚରାଯାଉଛି। ତାଙ୍କ ସ୍ତ୍ରୀ କେଉଁ କାରଣରୁ ସ୍ବାମୀଙ୍କ ନିକଟକୁ ଆସୁନାହାନ୍ତି ସେ ସମ୍ପର୍କରେ ତଦନ୍ତ ଜାରି ରହିଛି।

Share