ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମଦରେ ବିଷ ଦେଇ ମାରିଦେଲେ ସ୍ତ୍ରୀ

ଜୟପୁର,୧୩ା୮: ରାଜସ୍ଥାନର ଚୁରୁ ଜିଲାର ସର୍ଦ୍ଦାରହର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ପ୍ରେମିକଙ୍କ ସହିତ ସ୍ବାମୀଙ୍କୁ ମଦରେ ବିଷ ମିଶାଇ ପିଇବାକୁ ଦେଇ ମାରିଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାର ମାତ୍ର ୨୪ ଘଣ୍ଟା ପରେ ପୋଲିସ ହତ୍ୟା ମାମଲାର ଖୁଲାସା କରି ଅଭିଯୁକ୍ତ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଘଟଣା ଜଣାପଡ଼ିବା ପରେ ମୃତକଙ୍କ ସମ୍ପର୍କୀୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଅତିରିକ୍ତ ପୋଲିସ ଅଧୀକ୍ଷକ ରାଜେନ୍ଦ୍ର ମୀନା କହିଛନ୍ତି, ହତ୍ୟାକାଣ୍ଡର ଏହି ଭୟାନକ ଘଟଣା ସର୍ଦ୍ଦାର ପୋଲିସ ଥାନା ଅଞ୍ଚଳର କରଣସର ଗ୍ରାମର ଅଟେ। ଏଠାକାର ପୁର୍ଣ୍ଣାରାମ (୩୦)ଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ଭାଇ ମୁଖରାମ ଶୁକ୍ରବାର ଏହି ଘଟଣାରେ ଏକ ମାମଲା ଦାୟର କରିଥିଲେ। ସେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ତାଙ୍କ ଭାଇ ପୁର୍ଣ୍ଣାରାମଙ୍କ ସ୍ତ୍ରୀ ସୁଲୋଚାନା ଦେବୀ (୨୬) ଲୁଙ୍କାରାନ୍ସାର ବାସିନ୍ଦା ଦିଲ୍ଲୀପ ମେଘଓ୍ବାଲ (୩୫)ଙ୍କ ସହ ଏପରି ଅପରାଧିକ ଷଡ଼ଯନ୍ତ୍ର କରିଥିଳେ। ଏହା ପରେ ଦୁହେଁ ତାଙ୍କ ଭାଇଙ୍କୁ ବିଷ ଦେଇ ହତ୍ୟା କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share