ସ୍ବାମୀଙ୍କ ମୃତଦେହକୁ ୧୬ ଘଣ୍ଟା ଜଗିରହିଲେ ସ୍ତ୍ରୀ

ପଟ୍ଟାମୁଣ୍ଡାଇ ୨୮।୮(ସ୍ବ.ପ୍ର.): ଜଣେ ବୃଦ୍ଧଙ୍କ ମୃତଦେହକୁ ଡାକ୍ତରଖାନାରୁ ନେବାକୁ ଆସିଲେନି ଝିଅ, ପୁଅ। ଫଳରେ ମୃତଦେହକୁ ତାଙ୍କ ସ୍ତ୍ରୀ ୧୬ ଘଣ୍ଟା ଧରି ଜଗି ରହିବା ପରେ ସାମାଜିକ କର୍ମୀମାନେ ଶନିବାର ସଂସ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ। ମୃତ ବୃଦ୍ଧ ଜଣକ ହେଲେ ରାଜନଗର ଅଞ୍ଚଳର ଭୀମସେନ ବାହାଦୁର(୮୫)। ତାଙ୍କର ଏକମାତ୍ର ପୁଅ ଦୁବାଇରେ ରହୁଥିବାବେଳେ ଦୁଇ ଝିଅ ଭୁବନେଶ୍ୱରରେ ରହୁଛନ୍ତି। ଭୀମସେନ ଚାକିରିରୁ ଅବସର ନେବା ପରେ ଅବହେଳାର ଶିକାର ହୋଇଥିଲେ। ଫଳରେ ଭୀମସେନ ଓ ତାଙ୍କ ସ୍ତ୍ରୀ ଭଗବତୀ ଘର ଛାଡ଼ି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବକ୍ତାରପୁର ଗଁାରେ ରହିଆସୁଥିଲେ। ଶୁକ୍ରବାର ଭୀମସେନଙ୍କ ଶରୀର ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ଭଗବତୀ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭଗବତୀ ଏନେଇ ପୁଅ, ଦୁଇ ଝିଅଙ୍କ ସହ ସମ୍ପର୍କୀୟଙ୍କୁ ଜଣାଇଥିଲେ। ମାତ୍ର କେହି ଆସିଲେନାହିଁ। ଫଳରେ ଭୀମସେନଙ୍କ ମୃତଦେହ ୧୬ ଘଣ୍ଟା ଡାକ୍ତରଖାନା ଶଯ୍ୟାରେ ପଡ଼ି ରହିଥିଲା। ମୃତଦେହ ପାଖରେ ଭଗବତୀଙ୍କ ଅସହାୟତା ଓ କାନ୍ଦ ଦେଖଣାହାରୀଙ୍କୁ ମିୟମ୍ରାଣ କରିଥିଲା। ସ୍ଥାନୀୟ ଲୋକ ମଧ୍ୟ ପରିବାରକୁ ଖବର ନିରାଶ ହୋଇଥିଲେ। ଶେଷରେ ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ ସାହୁଙ୍କ ଉଦ୍ୟମରେ ଯୁବ ସାମାଜିକ କର୍ମୀ ବାବନ କୁମାର ସାହୁ, ନାରୀନେତ୍ରୀ ସାବିତ୍ରୀ ସାହୁ, ପୂର୍ବତନ କାଉନସିଲର ଲୋକନାଥ ବେହେରା, ଡମ୍ବରୁଧର ରାଉତ ପ୍ରମୁଖ ଭୀମସେନଙ୍କ ମୃତଦେହକୁ ନେଇ ସ୍ଥାନୀୟ ପୋଖରିଆପଡ଼ା ଶ୍ମଶାନରେ ସଂସ୍କାର କରିଥିଲେ। ସାମାଜିକ କର୍ମୀ ଡମ୍ବରୁଧର ରାଉତ ମୁଖାଗ୍ନି ଦେଇଥିଲେ।