ସ୍ବାମୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୧୩ା୧୨: ସ୍ବାମୀ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଜଗତ୍‌ସିଂହପୁର ଥାନାରେ ଶନିବାର ଜଣେ ମହିଳା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଥାନାରେ ମାମଲା (ନଂ.୪୭୦/୨୦) ରୁଜୁ ହୋଇଛିି। ପୋଲିସ ତଦନ୍ତ ଆରମ୍ଭ କରିଛି।

ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର ଥାନା ଅଞ୍ଚଳରେ ସେ ୧୭ ବର୍ଷ ପୂର୍ବେ ବିବାହ କରିଥିଲେ। ବିବାହର କିଛିଦିନ ପରେ ସ୍ବାମୀ, ଶାଶୁଘର ଲୋକେ ଅଧିକ ଯୌତୁକ ଦାବିକରି ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ସେତେବେଳେ ଶାଶୁଘର ଲୋକଙ୍କ ବିରୋଧରେ ସମ୍ପୃକ୍ତା ମହିଳା ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଥିଲେ। କୋର୍ଟରେ ଏହି ମାମଲାର ସମାଧାନ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ସ୍ବାମୀଙ୍କ ସହ ମିଶି ଜଗତ୍‌ସିଂହପୁର ଥାନା ଅଞ୍ଚଳରେ ଏକ ଭଡ଼ା ଘରେ ରହିଥିଲେ। ସେଠାରେ ସ୍ବାମୀ ବଳପୂର୍ବକ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖୁଥିଲେ। ୨୮ ଜୁନ୍‌ ୨୦୨୦ରେ ସ୍ବାମୀ ବଜାର ଯାଉଛି କହି ଘରୁ ଚାଲିଯାଇଥିଲେ। ଆଉ ଫେରି ନ ଥିଲେ। ଗତ ଶୁକ୍ରବାର ଆଳିପିଙ୍ଗଳ କାଠ ପୋଲ ନିକଟରେ ସମ୍ପୃକ୍ତ ମହିଳାଙ୍କ ସହ ସ୍ବାମୀଙ୍କ ଦେଖା ହୋଇଥିଲା। ସ୍ବାମୀଙ୍କୁ ଦେଖି ମହିଳା ଜଣକ କାହିଁକି ଏପରି କଲ ବୋଲି ପ୍ରଶ୍ନ କରିଥିଲେ। ଅଭିଯୁକ୍ତ ତାଙ୍କୁ ପୂର୍ବପରି ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଏକ ମାତ୍ର ଝିଅ ଗତବର୍ଷ ମାଟ୍ରିକ ପରୀକ୍ଷା ଦେବାର ୧୫ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି।

ଏ ସମ୍ପର୍କରେ ଜଗତ୍‌ସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ମାମଲାଟିକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି। ଝିଅର ଆତ୍ମହତ୍ୟା ସମ୍ପର୍କରେ ଆଇଆଇସି କହିଛନ୍ତି, ଝିଅ ପାଠପଢ଼ାରେ ଅବହେଳା କରୁଥିବାରୁ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ତାଙ୍କୁ ଗାଳି କରିଥିଲେ। ଏଥିରେ ଝିଅ ପ୍ରତିକ୍ରିୟାଶୀଳ ହୋଇ ଆତ୍ମହତ୍ୟା କରିଥିଲେ। ଅଭିଯୁକ୍ତ ୧୩ ବର୍ଷ ପୂର୍ବେ ୨ୟ ବିବାହ କରିଥିବା ବେଳେ ତାଙ୍କର ଏବେ ୧୧ ବର୍ଷର ପୁଅ ଥିବା ଜଣାପଡ଼ିଛି।