ଶାଶୁ, ଶ୍ୱଶୁରଙ୍କୁ ମାସିକ ଭରଣ ପୋଷଣ ଦେବେ ବିଧବା ବୋହୂ

ଭଦ୍ରକ ଅଫିସ,୮ା୧୧:ଭଦ୍ରକ ପରିବାର ଅଦାଲତ ବିଚାରପତି ପ୍ରଜ୍ଞା ପାରମିତା ରାଉଳ ସୋମବାର ଏକ ମାମଲାର ବିଚାର କରି ବୃଦ୍ଧା ଶାଶୁ, ଶ୍ୱଶୁରଙ୍କୁ ଭରଣ ପୋଷଣ ବାବଦରେ ମାସିକ ୩ ହଜାର ଟଙ୍କା ବିଧବା ବୋହୂ ଦେବା ପାଇଁ ଶୁଣାଣି କରିଛନ୍ତି। ପ୍ରକାଶ ଯେ, ଭଦ୍ରକ ସହର ପୁରୁଣାବଜାର ଥାନା ଅଧୀନ ଦାସସାହି ଗ୍ରାମର ଲକ୍ଷ୍ମୀଧର ଦାସ ଓ ପ୍ରମିଳା ଦାସଙ୍କ ଏକମାତ୍ର ପୁଅ ପ୍ରଫୁଲ୍ଲ ପ୍ରାଥମିକ ଶିକ୍ଷକ ଭାବେ ହାତୀସାହି ବିଜେ ଗଙ୍ଗାଧରପୁର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ। ଚାକିରି କାଳ ମଧ୍ୟରେ ୨୦୧୯ରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା। ମୃତ୍ୟୁକାଳୀନ ସମସ୍ତ ସରକାରୀ ସହାୟତା ରାଶିକୁ ସ୍ତ୍ରୀ ଘୁନୁରାଣୀ ହାତେଇ ନେବା ପରେ ଶାଶୁ ଶ୍ୱଶୁରଙ୍କୁ ଅଣଦେଖା କରି ଅନ୍ୟ ଏକ ଜାଗାରେ କୋଠା ଘର ନିର୍ମାଣ କରି ରହୁଛନ୍ତି। ଅପରପକ୍ଷେ ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଦୟନୀୟ ଭାବେ ଜୀବନ ବିତାଉଛନ୍ତି ଶାଶୁ ଶ୍ୱଶୁର। ପୁଅର ମାସିକ ପେନ୍‌ସନ ଟଙ୍କାକୁ ବୋହୂ ନ ଦେବାରୁ ଶେଷରେ ପ୍ରମିଳା ୨୦୨୦ରେ ଭଦ୍ରକ ପରିବାର ଅଦାଲତରେ ଏକ ମାମଲା (ନଂ.୮୨/୨୦) କରିଥିଲେ। ଘୁନୁରାଣୀ କୋର୍ଟରେ ହାଜର ହୋଇ ସେ ବିଧବା ହେବା ପରେ ଶାଶୁ ଶ୍ୱଶୁର ତାଙ୍କୁ ଘରୁ ବାହାର କରି ଦେଇଥିବାରୁ ଅନ୍ୟତ୍ର ଭଡ଼ା ଘରେ ରହୁଥିବା କହିଥିଲେ। ଏପରିକି ଏକମାତ୍ର ପୁଅ ଓ ନିଜେ ଚଳିବା ପାଇଁ ପେନ୍‌ସନ ଟଙ୍କା ନିଅଣ୍ଟ ହେଉଥିବାରୁ ଶାଶୁ ଶ୍ୱଶୁର ତାଙ୍କୁ ମାସିକ ଚଳଣି ବାବଦ ଟଙ୍କା ଦେବାକୁ ଆବେଦନ କରିଥିଲେ। ଉଭୟ ପକ୍ଷଠାରୁ ସମସ୍ତ ବିଷୟରେ ଶୁଣିବା ପରେ ବିଧବା ବୋହୂ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ପୋଷିବା ପାଇଁ ବାଧ୍ୟ ବୋଲି ଅଦାଲତ ରାୟ ପ୍ରଦାନ କରିଛନ୍ତି। ପ୍ରମିଳାଙ୍କ ପକ୍ଷରୁ ଭଦ୍ରକର ବରିଷ୍ଠ ଅଧିବକ୍ତା ରାଧାକାନ୍ତ ନାୟକ ମାମଲା ପରିଚାଳନା କରିଥିଲେ।