Categories: ଫୁରସତ

ମାତ୍ର ୮ ବର୍ଷ ବୟସରେ ହୋଇଥିଲା ପାରାଲିସିସ୍‌: ଯୋଗ ଯୋଗୁ ବଦଳିଗଲା ପୁରା ଜୀବନ; ଏବେ…

ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍‌ ପ୍ରେରଣାଦାୟୀ।

ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ ଗାଁରେ ରାମଦେବଙ୍କ ଜନ୍ମ ହୋଇଥିଲା। ସେଠାରେ ଥିବା ସରକାରୀ ସ୍କୁଲରୁ ସେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ପରେ ସେ ଗୁରୁକୁଳରୁ ସଂସ୍କୃତ ଏବଂ ଯୋଗ ଶିକ୍ଷା ଲାଭ କରିଥିଲେ।

ତେବେ ସ୍କୁଲରେ ପଢ଼ିବା ସମୟରେ ରାମଦେବଙ୍କ ବାମ ପଟ ଅଙ୍ଗ ପାରାଲିସିସ୍‌ ହୋଇଥିଲା। ସେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ହୋଇଥିଲା। ପାଠପଢ଼ା ସାରି ସାଙ୍ଗମାନଙ୍କ ସହ ଘରକୁ ଫେରୁଥିବା ସମୟରେ ହଠାତ୍‌ ସେ ଭୂମିରେ ଟଳିପଡ଼ିଥିଲେ। ସେ ଛଟପଟ ହେଉଥିବା ଦେଖି ତାଙ୍କ ବନ୍ଧୁମାନେ ଡରି ଯାଇଥିଲେ ଏବଂ ଏନେଇ ପରିବାରଲୋକଙ୍କୁ ଜଣାଇଥିଲେ।

ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ପାରାଲିସିସ୍‌ ହୋଇଯାଇଥିବା କହିଥିଲେ। ଏପରିକି ସେ ଆଉ ନିଜର ବାମ ଅଙ୍ଗଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ ବୋଲି କହିଥିଲେ। ଏହାଶୁଣି ହାର ମାନି ନ ଥିଲେ ରାମଦେବ। ପକ୍ଷାଘାତ ହେବାରୁ ସେ ସାଙ୍ଗମାନଙ୍କ ସହ ଖେଳିପାରି ନ ଥିଲେ। ହେଲେ ସେ ପାଠପଢ଼ା ଛାଡ଼ି ନ ଥିଲେ। ଏକଦା ତାଙ୍କୁ ଏକ ବହି ମିଳିଥିଲା। ଯୋଗଦ୍ୱାରା ଶରୀର ଏବଂ ଆତ୍ମାକୁ ନିଜ କବଳରେ କରାଯାଇପାରିବ ବୋଲି ଲେଖାଯାଇଥିଲା। ଏହା ଦେଖି ରାମଦେବ ଯୋଗ ପ୍ରତି ଅଧିକ ଆକର୍ଷିତ ହୋଇଯାଇଥିଲେ।

ନିୟମିତ ଯୋଗ କରିବାଦ୍ୱାରା ଧିରେ ଧିରେ ତାଙ୍କ ବାମପଟ ଅଙ୍ଗ ଠିକ୍‌ ହୋଇଥିଲା। ଏବେ ରାମଦେବଙ୍କ ବାମପଟ ଅଂଶ ସମ୍ପୂର୍ଣ୍ଣ ଠିକ୍‌ ହୋଇଯାଇଛି। ହେଲେ ବାମଆଖିରେ ଦେଖିବାରେ ସାମାନ୍ୟ ଅସୁବିଧା ହୋଇଥାଏ। ଆଖି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁ ତାଙ୍କୁ ଦେଖାଯାଉ ନ ଥିଲା। ସେତେବେଳେ ସେ ଯୋଗକୁ ଏକ ଚିକିତ୍ସା ପ୍ରଣାଳୀ ଭାବେ ଜୀବନରେ ସାମିଲକରିଥିଲେ। ଏବେ ଏହା ତାଙ୍କୁ ଖ୍ୟାତି ଦେଇଛି। ସେ ଏବେ ଦେଶବିଦେଶରେ ଯୋଗ ଶିକ୍ଷାକୁ ବ୍ୟବହାର କରି ରୋଗରୁ ସୁସ୍ଥ ହେବାକୁ ପରାମର୍ଶ ଦେଉଛନ୍ତି।

Share