ଧଳା କୁମ୍ଭୀର ଶାବକର ନାମ ଦିଆଗଲା ଶ୍ୱେତା

ରାଜନଗର, ୭ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରେ ୩ ବର୍ଷର ଶାବକ ଧଳା କୁମ୍ଭୀର ପର୍ଯ୍ୟଟକଙ୍କ ମନ ମୋହୁଛି। ଗୁରୁବାର ଶାବକ ଧଳା କୁମ୍ଭୀରର ନାମକରଣ କରାଯାଇ ଶ୍ୱେତା ରଖାଯାଇଛି। ଭିତରକନିକାର ଆବଦ୍ଧ ପୋଖରୀରେ ଗୋରୀ ଓ ମଲ୍ଲୀ ଧଳା କୁମ୍ଭୀର ସହ ଶାବକ ଶ୍ୱେତା ରହୁଛି। ସାରା ପୃଥିବୀରେ ଧଳା କୁମ୍ଭୀରଙ୍କ ସଂଖ୍ୟା ନଗଣ୍ୟ ଥିବା ବେଳେ ଭିତରକନିକାରେ ଧଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକାର ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଚିହ୍ନଟ କରାଯାଇଥିଲା। ପ୍ରାକୃତିକ ପରିବେଶରେ ଏତେ ସଂଖ୍ୟକ ଧଳା କୁମ୍ଭୀର ପ୍ରାଣୀ ବିଜ୍ଞାନୀ ଓ ପରିବେଶବିତ୍‌ଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଥିଲା। ପ୍ରଜନନ କେନ୍ଦ୍ରରେ ଜନ୍ମ ସମୟରେ ୩ ବର୍ଷ ତଳେ ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ମାତ୍ର ଛୋଟ ଛୁଆ ହୋଇଥିବାରୁ ତାହାର ରଙ୍ଗ ସ୍ପଷ୍ଟ ଭାବେ ଜଣାପଡୁ ନ ଥିଲା। ଏବେ ପ୍ରଜନନ କେନ୍ଦ୍ରରେ ଧଳା କୁମ୍ଭୀର ଛୁଆ ପାଣିରେ ପହଁରିବା ଓ ଖରା ପୋଇଁବାର ଦୃଶ୍ୟ ଦେଖିବାକୁ ମିଳିଛି। କୁମ୍ଭୀର ଗଣନା ପାଇଁ ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ଆସିଥିବା କୁମ୍ଭୀର ବିଶାରଦ ଡ. ସୁଧାକର କର ଡାଙ୍ଗମାଳ ଆସିଥିଲେ। ଏହି ଅବସରରେ ଏହି ୩ ବର୍ଷିୟା ଧଳା କୁମ୍ଭୀରର ନାମକରଣ କରିଥିଲେ। ୧୯୭୫ ମସିହାରେ ପ୍ରଥମକରି ବିଶ୍ୱରେ ସ୍ଥାପିତ କୃତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଗୋରୀକୁ ଆବିଷ୍କାର କରିଥିଲେ। ୨୦୦୩ରେ ଅନ୍ୟ ଏକ ଧଳା କୁମ୍ଭୀର ମଲ୍ଲୀ ଏବଂ ଏବେ ଧଳା କୁମ୍ଭୀର ଶାବକର ନାମ ଶ୍ୱେତା ରଖାଯାଇଛି।