Categories: ଜାତୀୟ

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବଦଳିବ ମୌସୁମୀ, ହେବ ବର୍ଷା: ସ୍ୱାମୀ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୯ ।୪: ଗୋଟିଏ ପଟେ ଅସହ୍ୟ ଗରମରେ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ବେଳକୁ ବେଳ ତାତି ବଢିବାରେ ଲାଗିଛି । ଏହାକୁ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବା ବେଳେ, ଅନ୍ୟପଟେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି ଦିଲ୍ଲୀର ନାମ ବଦଳାଇ ଦେଲେ ଏଠାକାର ମୌସୁମୀର ମିଜାଜ ବି ବଦଳିଯିବ ।
ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ କହିଛନ୍ତି, ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ କାରଣ ନାମର ବହୁତ ମହତ୍ୱ ରହିଛି । ଯଦି ଦିଲ୍ଲୀର ନାମ ଇନ୍ଦ୍ରପ୍ରସ୍ଥ କରାଯାଏ ତେବେ ଏଠାରେ ଭଲ ବର୍ଷା ହେବା ସହ ଶାନ୍ତି ଫେରି ଆସିବ ।

ମହାରାଜ ଆହୁରି ମଧ୍ୟ କହିଛନ୍ତି ଦେଶର ଦିଲ୍ ଅର୍ଥାତ୍ ଦିଲ୍ଲୀ ଅଥବା ରାଜଧାନୀ ଯଦି ଭଲ ରହିବ ତେବେ ସାରା ଦେଶ ଭଲ ରହିବ । ତୋମର ବଂଶର ରାଜା ଯାହାଙ୍କ ମହଲର ପାଇପ ଝିଲା ଥିଲା ବୋଲି ସେ ଏହାର ନାମ ଢିଲି ରଖିଦେଇଥିଲେ । ଏହାପରେ ଏହା ଦିଲ୍ଲୀ ହୋଇଛି । ଯେତେବେଳେ ଆମ ଘରେ ଶିଶୁଟିଏ ଜନ୍ମନିଏ ଆମେ ସଂସ୍କାର ହିସାବରେ ପିଲାଟିର ନାମକରଣ କରିଥାଏ । କିନ୍ତୁ ଏଠାରେ ରାଜମହଲର ପାଇପ ଢିଲା ହୋଇଗଲା ବାଲି ଏଠାକାର ନାମ ଏମିତି ରଖାଗଲା ପରେ ଏହା ଦିଲ୍ଲୀ ହେଲା । ତେଣୁ ଏବେ ଏହି ନାମକୁ ବଦଳାଇବା ଦରକାର । ଏଥିପାଇଁ ସେ ହସ୍ତାକ୍ଷର ଅଭିଯାନ ଆରମ୍ଭ କରିବା ସହ ଏ କଥା କେନ୍ଦ୍ର ସରକାରଙ୍କ ସାମ୍ନାରେ ରଖିବେ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଏବେ ସର୍ବୋଚ୍ଚ ତାପମାତ୍ର ୪୦ ଅତିକ୍ରମ କରିଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୯ ହେଲାଣି । ତେଣୁ ରାଜଧାନୀ ସମେତ ଦେଶର ଆଉ କିଛି ସ୍ଥାନ ବି ଅହସ୍ୟ ଗରମରେ ଛଟପଟ ହେଉଛି ।

Share