୧୮ରୁ ବଦଳିବ ପାଗ

ଭୁବନେଶ୍ୱର,୧୪ା୧୦(ଅନିଲ ଦାସ): ରାଜ୍ୟରେ ଗତ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। କେତେକ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି। ରାତିରେ ମଧ୍ୟ ତାପମାତ୍ରା ୨୫ରୁ ୨୬ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହୁଛି।
ଆଶ୍ୱିନ ମାସରେ ହାଲୁକା ଶୀତ ଓ କାକର ପରିବେଶକୁ ଶୀତଳ କରିଥାଏ। ଅକ୍ଟୋବର ଶେଷ ଆଡ଼କୁ ଶୀତର ପ୍ରକୋପ ବଢ଼ିଥାଏ। ମାତ୍ର ଚଳିତ ବର୍ଷ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖାଦେଇଛି। ଶୀତ ବିଳମ୍ବରେ ଆସିବ ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଉଛନ୍ତି। ସେପ୍ଟେମ୍ବର ଶେଷକୁ ବର୍ଷା ଛାଡ଼ିଯିବା ପରେ ତାତିର ପ୍ରକୋପ ବଢ଼ିଯାଇଛି। ଆସନ୍ତା ୪ ଦିନ ଯାଏ ପାଗରେ ମଧ୍ୟ କୌଣସି ପରିବର୍ତ୍ତନର ସୂଚନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଗ ଶୁଖିଲା ଓ ଖରାଟିଆ ରହିବ। ତେବେ ୧୮ ତାରିଖରୁ ତାତି ହ୍ରାସ ପାଇବ। ପାରଦ ୨ରୁ ୪ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ। ଏହି ସମୟରେ ଆଣ୍ଡାମାନ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ। ଏହା ଧୀରେ ଧୀରେ ଘନୀଭୂତ ହୋଇ ଡିପ୍‌ ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ବାତ୍ୟା ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଏ ନେଇ ସୂଚନା ମିଳିପାରିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ କିମ୍ବା ୨୬ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।