Categories: ଜାତୀୟ

ଆମେରିକା ସେନା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବିକ୍ରି କରୁଛି ତାଲିବାନ

ଶ୍ରୀନଗର,୨୪ ।୧: ଆଫଗାନିସ୍ତାନକୁ ତାଲିବାନ ନିଜ କବଜାକୁ ନେବା ପରେ ସେଠାରେ ଥିବା ଆମେରିକା ସେନାଙ୍କର ହୋଇଥିଲା ଘର ବାହୁଡା । ହେଲେ ଆମେରିକା ସେନା ଆଫଗାନିସ୍ତାନରେ କିଛି ଅସ୍ତ୍ରଶସ୍ତ୍ର ଛାଡି ଆସିଥିଲେ । ଏବେ ଏହାକୁ ତାଲିବାନ ବିକ୍ରି କରୁଥିବା ଜଣାପଡିଛି । ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଅସ୍ତ୍ରଶସ୍ତ୍ର ଚାଇନା ଓ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ କିଣୁଛନ୍ତି । ଆଇଏସ୍ ଏହାକୁ କଶ୍ମୀରରେ ଥିବା ଆତଙ୍କବାଦୀଙ୍କ ନିକଟକୁ ପଠାଉଛି । ନିକଟରେ ଏହି ସୂଚନା କଶ୍ମୀର ଆତଙ୍କବାଦୀ ସଙ୍ଗଠନ ପିପୁଲ୍‌ସ୍ ଆଣ୍ଟି ଫାସିଷ୍ଟ ଫୋର୍ସର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରୁ ଜଣାପଡିଛି ।
ଭାଇରାଲ ଭିଡିଓରେ ଆତଙ୍କବାଦୀମାନେ ଆମେରିକା ନିର୍ମିତ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ବ୍ୟବହାର କରୁଥିବା ଦେଖାଯାଇଛି । କେବଳ ଏତିକି ନୁହେଁ ଆତଙ୍କବାଦୀ ସଙ୍ଗଠନର କେତେଜଣ ଆତଙ୍କବାଦୀ ଅସ୍ତ୍ରଶସ୍ତ୍ର ସହ ଫଟୋ ବି ଶେୟାର କରୁଛନ୍ତି । ସେମାନେ ଦାବି କରିଛନ୍ତି କି ନିକଟରେ ପୁଂଛରେ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ ଯେଉଁଥିରେ ୯ ଯବାନ ଶହୀଦ ହୋଇଥିଲେ । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଉକ୍ତ ଭାଇରାଲ ଭିଡିଓରେ ଆତଙ୍କବାଦୀମାନେ ଏମ୍ ୨୪୯ ଅଟୋମେଟିକ ରାଇଫଲ, ୫୦୯ ଟ୍ୟାକ୍ଟିକାଲ ଗନ, ଏମ୍ ୧୯୧୧ ପିସ୍ତଲ ଓ ଏମ୍ ୪ କାର୍ବାଇନ ଅସଲ୍ଟ ରାଇଫଲ ବ୍ୟବହାର କରୁଛନ୍ତି । ଏସମସ୍ତ ଅସ୍ତ୍ରଶସ୍ତ୍ର ଆମେରିକା ସେନା ବି ବ୍ୟବହାର କରୁଛି ।

Share