ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’!

ଭୁବନେଶର,୪।୧୨(ବ୍ୟୁରୋ) : ବାତ୍ୟା ‘ଜୱାଦ’ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ପୁରୀ ଜିଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତର ରୂପ ନେବ। ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କି.ମି ରହିବ। ପରେ ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ। ଗତି ପରିବର୍ତ୍ତନ କରି ଗଭୀର ଅବପାତର ପରିଣତ ହେବ। ଘଣ୍ଟାକୁ ୪ କି.ମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ବର୍ତ୍ତମାନ ଏହା ବିଶାଖାପାଟଣାରୁ ୨୩୦କି.ମି, ଗୋପାଳପୁର ଠାରୁ ୩୪୦ କି.ମି ଏବଂ ପୁରୀରୁ ୪୧୦ କି.ମି ଦୂରରେ ରହିଛି। ବାତ୍ୟା ଉତ୍ତର-ପୂର୍ବ ଗତି କରିବା ବେଳେ ଏହା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଆଦି ଜିଲାରେ ୨୦ ସେଣ୍ଟିମିଟର ବର୍ଷା ହେବ ।

ବାତ୍ୟା ‘ଜୱାଦ’ଆସନ୍ତା ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ। ତେବେ ୫ ତାରିଖ ଯାଏ ମତ୍ସଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।