ବନ୍ଧ ନିରୀକ୍ଷଣ ନ କରି ପାଣି ଛଡ଼ାଗଲା

ନିଶ୍ଚିନ୍ତକୋଇଲି,୨୦ା୧(ସ୍ବ.ପ୍ର): କଟକ ଜଗତପୁରସ୍ଥିତ ନର୍ଥ ଡିଭିଜନ ଅଧୀନରେ ଥିବା କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ଦୂରଦୃଷ୍ଟି ଅଭାବ ହେତୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେନାଲ ବନ୍ଧ ନିରୀକ୍ଷଣ ନକରି ପାଣି ଛାଡ଼ି ଦେବାରୁ ଗାଁରେ ପାଣି ପଶିଛି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ୮ ନଂ. କେନାଲ ବାଟେ ଗୁରୁବାର ସକାଳୁ ଅପ୍ରତ୍ୟାଶିତ ଭାବେ ପାଣି ଆସିଥିଲା। ନତକାଇ ଗ୍ରାମଦେଇ ଯାଇଥିବା କେନାଲ ବନ୍ଧ ଦୁର୍ବଳ ଥିବାରୁ ତାହା ଭାଙ୍ଗି ଯାଇଥିଲା। ଫଳରେ ଷଡ଼ଙ୍ଗୀ ସାହି ମଧ୍ୟରେ ପାଣି ପଶିବା ସହ ଲୋକଙ୍କ ବିଲବାଡିକୁ ପାଣି ମାଡି ଯାଇଥିଲା। ପରିବା କ୍ଷେତରେ ପାଣିପଶି ନଷ୍ଟ ହୋଇଯାଇଥିଲା। ତେବେ ଗାଁ ଲୋକେ ୮ ନମ୍ବର କେନାଲ ସାଇପନରୁ ପାଣି ବନ୍ଦ କରିବା ପରେ ାହା ନିୟନ୍ତ୍ରଣ ହୋଇଥିଲା। ବନ୍ଧ ମରାମତି କିମ୍ବା ତଦାରଖ ନକରି ଅଚାନକ କେନାଲରେ ପାଣି ଛାଡିବାରୁ କେବଳ ନତକାଇ ନୁହେଁ, ବହୁ ସ୍ଥାନରେ ବନ୍ଧବାଡ ଭାଙ୍ଗି ପାଣି ମାଡି ଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ସୁବୋଧ କୁମାର ଷଢଙ୍ଗୀ କୁହନ୍ତି, କେନ୍ଦୁପାଟଣା ଜଳ ସମ୍ପଦ ବିଭାଗର ଯନ୍ତ୍ରୀ କେନାଲ ବନ୍ଧ ନିରୀକ୍ଷଣ ନକରି ପାଣି ଛାଡିବାରୁ ଏଭଳି ଅବସ୍ଥା ଉପୁଜିଛି। ଏନେଇ ତୁରନ୍ତ ବନ୍ଧ ମରାମତି କରାଯାଉ।
ଏସମ୍ପର୍କରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ମଲିକଙ୍କ ମୋବାଇଲକୁ ବହୁବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କଲ୍‌ ଉଠାଇ ନ ଥିଲେ।