କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଦେବା ସହ ଅବବାହିକାରେ ଥିବା ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ଦେଖାଦେଇଛି।
ଲୁଣାନଦୀରୁ ବେଆଇନ ଭାବେ ବାଲି ଉଠାଯାଉଥିବାରୁ ନଦୀପଥର ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ଜିଲାରେ ପ୍ରବାହିତ ନଦୀଗୁଡିକର ସଂଯୋଗୀକରଣ ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ସହରସ୍ଥ ଖଡ଼ଇଙ୍ଗର କ୍ଷିତୀଶ କୁମାର ସିଂହ କହିଛନ୍ତି, ସହରକୁ ଜଳ ଯୋଗାଣ ପାଇଁ ପିଏଚ୍ଡି ଓ ଜଳ ସମ୍ପଦ ବିଭାଗର ସମନ୍ବୟରେ ଲୁଣାନଦୀର କଳପଡ଼ାଠାରୁ ପାଣି ଉଠାଯାଉଛି। ତେବେ ଜାନୁଆରୀରୁ ନଦୀର ପମ୍ପ ହାଉସ୍ ପାଖ ଶୁଖିଲା ପଡିଛି। ଏଥିପାଇଁ ୭୦୦ ମିଟର ଦୂରରୁ ଏକ ୧୫୦ ମିଟରର ନାଳି ଖୋଳା ଯାଇ ପମ୍ପ ହାଉସ ନିକଟକୁ ପାଣି ଅଣାଯାଉଥିଲା। ଏହି ନାଳି ଏବେ ଶୁଖିଲା ଅବସ୍ଥାକୁ ଆସିଗଲାଣି । ଏପରି ସ୍ଥିତି ରହିଲେ ଆସନ୍ତା ୧୫ ଦିନ ମଧ୍ୟରେ ସହରକୁ ଜଳ ଯୋଗାଣ ବନ୍ଦ ହୋଇଯିବ। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପଡ଼ାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଅଁା, ରାଜଗଡ ଓ ଅଙ୍ଗୁଳାଇ ଆଦି ସ୍ଥାନରେ ଲୁଣାନଦୀର ଚେକ୍ଡ୍ୟାମ୍ ହୋଇଛି। ପାନୀୟ ଜଳ ଯୋଗାଣ ସହ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ହେବା କଥା। ତେବେ ଖରା ଆରମ୍ଭରୁ ଲୁଣା ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ପ୍ରାୟ ୧୦ ହଜାର ହେକ୍ଟର ଜମି ପଡିଆ ପଡିବ ବୋଲି ଆକଳନ କରାଯାଉଛି।
ଏ ସମ୍ପର୍କରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଲୁଣା ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ପ୍ରବାହିତ ହେଉଛି। ନଦୀର ଲମ୍ବ ୭୩ କି.ମି.ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟରେ ଏହି ବାଟ ଦେଇ ନୌବାଣିଜ୍ୟ ହେଉଥିଲା। ଏହାର ରକ୍ଷଣାବେକ୍ଷଣ ଅଭାବ, ବେଆଇନ ବାଲି ଓ ମାଟି ଉଠାଣ, ଜବରଦଖଲ ହେତୁ ଏବେ ନଦୀର ଗତିପଥ ଓ ଜଳଧାରର କ୍ଷମତାରେ ପରିବତ୍ତର୍ର୍ନ ହୋଇଛି। ଏହି ଜିଲାର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୫,୮୫୦ ହେକ୍ଟର ଚାଷ ଜମିରେ ଉଦ୍ବୃତ୍ତ ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜିଲାର ୩୨,୩୫୦ ହେକ୍ଟର ଚାଷଜମି ଲୁଣା। ଏଥିସହ ବର୍ଷାଦିନେ ୩୪,୯୫୨ ହେକ୍ଟର ଜମିରେ ବନ୍ୟାଜଳ ମାଡିଯାଉଛି। ଜିଲାର ୮୪,୯୧୦ ହେକ୍ଟର ଜମିକୁ ପାଣି ଯାଉ ନ ଥିବାରୁ ଏକ ପ୍ରକାର ଅଘୋଷିତ ମରୁଡ଼ି ଅଞ୍ଚଳ ଭାବେ ପରିଗଣିତ ହେଉଛି।
ନଦୀ ଓ ମୁଖ୍ୟ କେନାଲଗୁଡିକର ଜଳ ପରିଚାଳନା ପାଇଁ ଜିଲା ପରିଷଦରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲୁଣା ନଦୀର ଜଳସେଚନ ଫଳରେ ଜିଲାରେ ଧାନ ସହ ରବି ଫସଲ ଓ ନଳିତା, ବାଦାମ ଆଖୁ ପରି ଅର୍ଥକରୀ ଫସଲ, ପନିପରିବା ଚାଷ ହେଉଥିଲା। ଗତ କିଛି ବର୍ଷ ଧରି ଏହି ନଦୀର ଜଳସ୍ତର କମିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣ ଫଳରେ ଏପରି ସ୍ଥିତି ଉପୁଜିଛି ବୋଲି ସେ ମତ ଦେଇଛନ୍ତି।
କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତି, ଜିଲାରେ ୭ ନଦୀ ପ୍ରବାହିତ ହେଉଛି। ଏହି ନଦୀଗୁଡିକୁ ସଂଯୋଗୀକରଣ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଗଲେ ଜିଲାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରନ୍ତା। ଏନେଇ ପ୍ରଶାସକ ଓ ସ୍ଥାନୀୟ ରାଜନେତା କୌଣସି ପଦକ୍ଷେପ ନେଉନାହାନ୍ତି।
ଜଳ ସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ କହିଛନ୍ତି, ଏହି ନଦୀର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକଳ୍ପର ପ୍ରୟାସ ଜାରି ରହିଛି।

