ପାକିସ୍ତାନରେ ଜଳ ସଙ୍କଟ ଅଣାୟତ୍ତ

ଇସଲାମାବାଦ,୨୩।୩: ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ମଧ୍ୟ ବର୍ତ୍ତମାନ ଜଳ ସଙ୍କଟର ସମ୍ମୁଖୀନ ହୋଇଛି। ଦିନକୁ ଦିନ ପାକିସ୍ତାନରେ ଅବସ୍ଥା ଖରାପ ହେବାରେ ଲାଗିଛି।
ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ୨୪ ପ୍ରମୁଖ ସହରରେ ବିଶୁଦ୍ଧ ଜଳର ସୁବିଧା ନାହିଁ। ପ୍ରାୟ ୩୦ ନିୟୁତ ପାକିସ୍ତାନୀଙ୍କୁ ବିଶୁଦ୍ଧ ଜଳର ସୁବିଧା ନାହିଁ। ଦେଶର ୨୪ଟି ପ୍ରମୁଖ ସହରରେ ବାସ କରୁଥିବା ୮୦ ପ୍ରତିଶତ ଲୋକ ବିଶୁଦ୍ଧ ପାନୀୟ ଜଳର ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। କରାଚିରେ ୧୬ ନିୟୁତ ବସ୍ତି ବାସିନ୍ଦା ଜଳ ପାଇପାରୁନାହାନ୍ତି।

ସ୍ବାଧୀନତା ପରଠାରୁ ପାକିସ୍ତାନ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ବର୍ତ୍ତମାନ ଦେଶର ସବୁଠାରୁ ଗୁରୁତର ସମସ୍ୟା ହେଉଛି ଜଳ ଅଭାବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ଏକ ଆକଳନ ଅନୁଯାୟୀ, ଜଳ ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ୨୦୨୫ ସୁଦ୍ଧା ପାକିସ୍ତାନ ସମ୍ପୂର୍ଣ୍ଣ ଶୁଷ୍କ ଏବଂ ବନ୍ଧ୍ୟା ହୋଇଯିବ।

ରିପୋର୍ଟରୁ ପ୍ରକାଶ ଯେ, ଜନସଂଖ୍ୟା ୨୨୦ ନିୟୁତ ଅତିକ୍ରମ କରି ଦେଶର ଜଳ ଚାହିଦା ୨୭୪ ନିୟୁତ ଏକର ଫୁଟରେ ପହଞ୍ଚିପାରେ ଏବଂ ଜଳ ଯୋଗାଣ ୧୯୧ ନିୟୁତ ଏକର ଫୁଟରେ ରହିପାରେ। ତେଣୁ ଆହୁରି ଜଳ ସଙ୍କଟ ଦେଖାଦେବ।

Share