ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…

ଓ୍ବାଶିଂଟନ/କ୍ୱିଭ୍‌,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ କ୍ରୟ ଲାଗି ଏହାକୁ ଅନୁମୋଦନ କରାଯାଇଛି। ଏହି ଘୋଷଣା ସହିତ, ଗତ ଏକ ବର୍ଷ ମଧ୍ୟରେ ୟୁକ୍ରେନକୁ ଦିଆଯାଇଥିବା ସମୁଦାୟ ସୁରକ୍ଷା ସହାୟତା ୧.୨ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୮ ଦିନରେ ପହଞ୍ଚିଛି। ଚଳିତ ମାସ ଆରମ୍ଭରେ, ୟୁକ୍ରେନ ପାଇଁ ଆମେରିକା ୩୫୦ ନିୟୁତ ଡଲାର ପ୍ୟାକେଜ ଅନୁମୋଦନ କରିଥିଲା। ଆମେରିକା ପ୍ରତିରକ୍ଷା ବିଭାଗ ଅନୁଯାୟୀ, ୧୯୬୧ର ବୈଦେଶିକ ସହାୟତା ଅଧିନିୟମ (ଏଫ୍‌ଏଏ) ଜଣେ ରାଷ୍ଟ୍ରପତିଙ୍କୁ ବିଦେଶୀ ରାଷ୍ଟ୍ରକୁ ବଜେଟ ଆବଣ୍ଟନ କରିବାକୁ ଅନୁମତି ଦେଇଥାଏ।

ଏଥି ସହିତ ଆମେରିକାର ବୈଦେଶିକ ମନ୍ତ୍ରଣାଳ କହିଛି ଯେ ୟୁକ୍ରେନରେ ଶାନ୍ତି ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବା ପାଇଁ ରୁଷିଆ ସହ କୂଟନୈତିକ ଆଲୋଚନା କରିବାକୁ ବାଇଡେନ୍‌ ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଯଦି କୂଟନୈତିକ ପଦକ୍ଷେପ ଗ୍ରହଣ କରାଯାଇପାରିବ, ତାହା ୟୁକ୍ରେନ ସରକାରଙ୍କ ଲାଗି ସହାୟକ ହେବ, ତେବେ ଆମେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ। ତଥାପି ମୂଳ ବାସ୍ତବତାକୁ ଦେଖି ରୁଷିଆର ଉଦ୍ଦେଶ୍ୟ ବିଷୟରେ ଆମେ ଆମର ଆଭିମୁଖ୍ୟ ସ୍ପଷ୍ଟ କରିଛୁ।

Share