ଭାରୀଯାନ ଚଳାଚଳ ବନ୍ଦ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କେସିଙ୍ଗା ବ୍ଲକର କିକିଆଠାରୁ ପିପଲପଦର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବହୁ ଅର୍ଥ ବ୍ୟୟରେ ରାସ୍ତା କାମ ଚାଲୁଛି। ଉକ୍ତ ରାସ୍ତାଟି ପଥର୍ଲା ପଞ୍ଚାୟତ, କୁଣ୍ଡାବନ୍ଧ ପଞ୍ଚାୟତ ମଧ୍ୟ ଦେଇ ସଂଯୋଗ କରୁଛି। ଏହି ରାସ୍ତାରେ ଭାରୀଯାନ ଚଳାଚଳ ଯୋଗୁ ରାସ୍ତା ଶୋଚନୀୟ ହୋଇ ବର୍ଷା ଦିନରେ ମାଟି ଦାବି ଯାଇ ରାସ୍ତା ନଷ୍ଟ ହେଉଥିବାରୁ କୁଣ୍ଡାବନ୍ଧ ପଞ୍ଚାୟତର ସରପଞ୍ଚ ରୋଜି ପ୍ରଧାନଙ୍କ ସମେତ ଗ୍ରାମବାସୀ କେସିଙ୍ଗା ଆର୍‌ଡି ବିଭାଗ ଓ ତହସିଲଦାରଙ୍କ ନିକଟରେ ଶନିବାର ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ସମାଧାନ କରା ନ ଗଲେ ରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ପଥର୍ଲା ପଞ୍ଚାୟତରେ ଏକ ବାଲିଘାଟକୁ ଠିକାସଂସ୍ଥାକୁ ଲିଜ୍‌ ଦିଆଯାଇଛି। ଏହି ବାଲିଘାଟରୁ କୁଣ୍ଡାବନ୍ଧ ପଞ୍ଚାୟତର ଗୁର୍ଜମୁଣ୍ଡା ଓ ପିପଳପଦର ଦେଇ ଦୈନନ୍ଦିନ ହାଇଓ୍ବା ଯୋଗେ ଜିଲାର ବିଭିନ୍ନ ଅଞ୍ଚଳକୁ ଚୋରାରେ ବାଲିଚାଲାଣ କରାଯାଉଛି। ଭାରୀଯାନ ଚଳାଚଳ ଯୋଗୁ ରାସ୍ତାଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ କେସିଙ୍ଗା ତହସିଲଦାର୍‌ ଓ ଗ୍ରାମ୍ୟ ନିର୍ମାଣ ବିଭାଗର ଏସ୍‌ଡିଓଙ୍କୁ ଲିଖିତ ଆକାରରେ ଏକ ଦାବିପତ୍ର ଗ୍ରାମବାସୀ ପ୍ରଦାନ କରିଛନ୍ତି।

ସରପଞ୍ଚ ରୋଜି ପ୍ରଧାନଙ୍କ ନେତୃତ୍ୱରେ ପଞ୍ଚାୟତର ପୁରୁଷ ଓ ମହିଳା ସ୍ଥାନୀୟ ତହସିଲଦାର ଓ ଗ୍ରାମ୍ୟ ନିର୍ମାଣ ବିଭାଗର ଏସ୍‌ଡିଓଙ୍କୁ ସାକ୍ଷାତ କରି ଅଭିଯୋଗ କରିଥିଲେ। ତହସିଲଦାର ଓ ଏସ୍‌ଡିଓ ଯଥାଶୀଘ୍ର ଭାରୀଯାନ ଚଳାଚଳ ନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ଏନେଇ କେସିଙ୍ଗା ତହସିଲଦାର ଯୁଗେଶ୍ୱର ସାହୁଙ୍କୁ ପଚରିବାରୁ ଉପଜିଲାପାଳଙ୍କ ସହ କଥା ହେଇ ସମାଧାନ କରିବି ବୋଲି ପ୍ରକାଶ କରିଥିଲେ।
ଏ ସଂକ୍ରାନ୍ତରେ ଆର୍‌ଡି ବିଭାଗ ଏସ୍‌ଡିଓ ଯଜାତି କେଶରୀ ଗଡ଼ନାୟକଙ୍କୁ ପଚାରିବାରୁ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି।