ଏନ୍‌ଜିଟି ଦ୍ୱାରସ୍ଥ ହେବେ ଗ୍ରାମବାସୀ

ରଗଡି,୧୧।୫(ଡି.ଏନ.ଏ.): ବ୍ୟାସନଗର ତହସିଲ ଅଞ୍ଚଳରେ ଲଘୁ ଖଣିଜ ସମ୍ପଦ ପ୍ରଚୂର ପରିମାଣରେ ରହିଛି। ହେଲେ ଯେଉଁ ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହେଉନାହିଁ। ବିଭାଗୀୟ ଅଧିକାରୀ ଏବଂ ବାଲି ବ୍ୟବସାୟୀଙ୍କ ମଧ୍ୟରେ ସଲାସୁତୁରା ହେଉଥିବାରୁ ସରକାର ରାଜସ୍ବ ହରାଉଥିବା ଅଭିଯୋଗ ହୋଇଛି। ଏହିକ୍ରମରେ ବର୍ତ୍ତମାନ ଓ ପୂର୍ବରୁ ଦାୟିତ୍ୱରେ ରହିଥିବା ରାଜସ୍ବ ଅଧିକାରୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଉପରେ ଭିଜିଲାନ୍ସ ତଦନ୍ତ କରାଗଲେ ବାସ୍ତବ ଚିତ୍ର ଲୋକଲୋଚନକୁ ଆସି ପାରନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ତହସିଲ ଅଧୀନ ବୈତରଣୀ ନଦୀର ନିଶଙ୍ଖପୁର ବାଲି ଘାଟରୁ ପ୍ରତିଦିନ ବ୍ୟବସାୟୀ ୮ରୁ ଊର୍ଦ୍ଧ୍ୱ ମେଶିନ ଲଗାଇ ହାଇୱାରେ ଶତାଧିକ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି। ଏହି କାରବାରରେ ଶାସକ ଦଳର ଜଣେ ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି। ବୈତରଣୀ ନଦୀର ନିଶଙ୍ଖପୁର ମୌଜା ଖତିୟାନା ନଂ. ୧୨୨ରୁ ୧୨ ଏକର ଜମି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ଲିଜ୍‌ ଦିଆଯାଇଛି। ହେଲେ ସମ୍ପୃକ୍ତ ଲିଜ୍‌ଧାରୀ କେତେଜଣ ମୁଷ୍ଟିମେୟ ଲୋକ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କୁ ହାତ କରି ଲିଜ୍‌ ଏରିଆ ବାହାରୁ ୨୫ ଏକରରୁ ଊର୍ଦ୍ଧ୍ୱ ଜମିରୁ ବାଲି ଉତ୍ତୋଳନ କରୁଥିବା ନିଶଙ୍ଖପୁର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଦୀ ଜଳ ପ୍ରବାହ ପଥରେ ବନ୍ଧ ପକାଇ ବାଲି ଉତ୍ତୋଳନ କରୁଥିବାରୁ ସାମାନ୍ୟ ବନ୍ୟା ଆସିଲେ ନିକଟସ୍ଥ ଗ୍ରାମଗୁଡ଼ିକ ନଦୀଗର୍ଭରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଭାରିଯାନ ଚଳାଚଳ କରିବା ଦ୍ୱାରା ଗ୍ରାମର ରାସ୍ତାଘାଟ ବିପର୍ଯ୍ୟସ୍ତ ହେବା ସହିତ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୃକ୍ତ ବ୍ୟବସାୟୀ ରୀତିମତ ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରିଚାଲିଛନ୍ତି। ବେଆଇନ ବାଲି ଉତ୍ତୋଳନ ପାଇଁ ନଦୀବନ୍ଧ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ପ୍ରଶାସନ କିପରି ବେଆଇନ ବାଲି ଚୋରିକୁ ସବୁଜ ସଙ୍କେତ ଦେଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଗ୍ରାମବାସୀ ବ୍ୟାସନଗର ତହସିଲ, ଜିଲା ପ୍ରଶାସନ ନିକଟରେ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଶେଷରେ ଏହି ବେଆଇନ ବାଲି ଘାଟ ପ୍ରସଙ୍ଗରେ ସମ୍ପୃକ୍ତ ଲିଜଧାରୀ ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଅତିଷ୍ଠ ଗ୍ରାମବାସୀ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି)ର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।