ଗଛରେ ବାନ୍ଧି ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ମହାକାଳପଡ଼ା,୪ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଉପକୂଳ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଯୁବକଙ୍କୁ ଗାଁ ଲୋକେ ଗଛରେ ବାନ୍ଧି ଲଣ୍ଡା କରିଛନ୍ତି। ରବିବାର ସକାଳେ ଏ ସଂକ୍ରାନ୍ତରେ ଖବର ପାଇବା ପରେ ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ଏ ନେଇ ସମ୍ପୃକ୍ତ ଯୁବକ ବିକ୍ରମ ପାଇଟାଳ(୨୩)ଙ୍କ ଭଉଣୀ ସୌଦାମିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି ବୋଲି କହିଛି। ସୂଚନା ଅନୁଯାୟୀ, ପେଟଛେଲା ଅଞ୍ଚଳର ବିକ୍ରମ ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ଘର ଲୋକ ଏ କଥା ଜାଣିବା ପରେ ଗ୍ରାମବାସୀଙ୍କ ସହାୟତାରେ ବିକ୍ରମଙ୍କୁ ଧରିଥିଲେ। କେଉଁ ଉଦ୍ଦେଶ୍ୟରେ ସେ ଘରେ ପଶିଥିଲେ ତାହା ସ୍ପଷ୍ଟ ହୋଇ ନ ଥିଲା। ତଥାପି ଘରର ସଦସ୍ୟମାନେ ଏହି ଘଟଣାକୁ ସହଜରେ ଗ୍ରହଣ କରି ନ ଥିଲେ। ବିକ୍ରମଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ତାଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ଲଣ୍ଡା କରିବା ସହ ସାତବେଣ୍ଟିଆ କରିଥିଲେ। ଉକ୍ତ ଘଟଣା ପରେ ନାନା କଥା ଶୁଣିବାକୁ ମିଳୁଛି। ଏ ନେଇ ପୋଲିସ ନଂ.୬୫/୨୨ରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ବିକ୍ରମଙ୍କୁ ଦିଆଯାଇଥିବା ନିର୍ଯାତନା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।