ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ କଲେ ଗ୍ରାମବାସୀ

ମୋରଡ଼ା,୧୫ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ତଥା ଚିତ୍ରଡ଼ା ଫାଣ୍ଡି ଅଧୀନ ଝିଙ୍କିରିଆ ଗ୍ରାମବାସୀଙ୍କ ଦ୍ୱାରା ଏକ ଗୋରୁ ଗାଡ଼ି ଜବତ ହୋଇଛି।

ସୂଚନାନୁଯାୟୀ, ଶୁକ୍ରବାର ଭୋର୍‌ ସମୟରେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତା ଦେଇ ଏକ ବେଆଇନ ଗୋରୁ ବୋଝେଇ ପିକ୍‌ଅପ୍‌(ଓଡି-୦୧ଏଡି-୪୬୭୨) ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଗ୍ରାମବାସୀ ସବ୍ୟସାଚୀ ବେହେରା ଏବଂ ଭଞ୍ଜସେନା ଯୁବନେତା ଆଲୋକ ବେହେରା, ଶୁଶବନ ବେହେରା ପିକ୍‌ଅପ୍‌ଟିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ପିକ୍‌ଅପ୍‌ଟି ଅଟକି ନ ଥିଲା। ତେଣୁ ପିକ୍‌ଅପ୍‌କୁ ଗ୍ରାମବାସୀ ପିଛା କରି ଭଡ଼ରାନଣ୍ଡା ନିକଟରେ କାବୁ କରିଥିଲେ ମଧ୍ୟ ଘଟଣାସ୍ଥଳରୁ ଡ୍ରାଇଭରଙ୍କ ସମେତ ଅନ୍ୟ ଦୁଇଜଣ ଫେରାର ହୋଇଛନ୍ତି। ପରେ ପରେ ମୋରଡ଼ା ଏବଂ ଚିତ୍ରଡ଼ା ଫାଣ୍ଡିକୁ ଖବର ଦେବାରୁ ମୋରଡ଼ା ଥାନା ଏସ୍‌ଆଇ ବିଦ୍ୟାଧର ବେହେରା, ଏଏସ୍‌ଆଇ ଦୀନବନ୍ଧୁ ବେହେରା ଏବଂ ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକ୍‌ଅପ୍‌କୁ ଚିତ୍ରଡ଼ା ଫାଣ୍ଡିକୁ ଆଣିଥିଲେ। ପିକ୍‌ଅପ୍‌ରେ ମୋଟ୍‌ ୨୦ଟି ଗୋରୁ ଥିବା ବେଳେ ଗୋଟେ ଗାଈର ପୂର୍ବରୁ ମୃତ୍ୟୁ ଘଟିଛି। ତେବେ ଅନ୍ୟ ସମସ୍ତ ଗୋରୁଙ୍କ ଗୋଡ଼ ଦୌଡ଼ିରେ ବନ୍ଧା ହୋଇଥିବା ବେଳେ ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବେ ପିକ୍‌ଅପ୍‌ରୁ ଓହ୍ଲାଇ ଚିତ୍ରଡ଼ା ଫାଣ୍ଡିରେ ରଖିଥିବାର ଜଣାପଡ଼ିଛି l ତେବେ ଭଞ୍ଜସେନା ଯୁବନେତା ଆଲୋକ ବେହେରା ଦୈନନ୍ଦିନ ଗୋରୁ ଚାଲାଣ ପାଇଁ ଝିଙ୍କିରିଆ ନିକଟରେ ଏକ ଚେକ୍‌ଗେଟ୍‌ରେ କାର୍ଯ୍ୟରତ ଥିବା ତୋଫାନ ବେହେରା ସମ୍ପୃକ୍ତି ଅଛନ୍ତି ବୋଲି କହିବା ସହିତ ଡ୍ରାଇଭର ଏବଂ ଅନ୍ୟ ଦୁଇଜଣ ଫେରାର ହେବାରେ ସେ ସହଯୋଗ କରିଛନ୍ତି ବୋଲି କହିଛନ୍ତି। ତେବେ ପଶୁ ଡାକ୍ତର ଦିଲୀପ କୁମାର ବେହେରା ଫାଣ୍ଡିରେ ପହଞ୍ଚିି ସମସ୍ତ ଗୋରୁର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହିତ ଚିକିତ୍ସା ମଧ୍ୟ କରିଛନ୍ତି।