ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ବଇଣ୍ଡା,୧୫।୨ (ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକର ଅନେକ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡିଛି। ବିଶେଷକରି ଶିକ୍ଷା ବିଭାଗ ପକ୍ଷରୁ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ବୃଦ୍ଧି ପାଉଛି। ନାକିଚି ମାହେଶରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ ଶିକ୍ଷକ ପଦବୀ ପୂରଣ ହେଉ ନ ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଫଳରେ ଗ୍ରାମବାସୀ ମଙ୍ଗଳବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ।
ଗ୍ରାମବାସୀ କହିଛନ୍ତି, ଏହି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୧୮ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏଠାରେ ୧୩ ଜଣ ଶିକ୍ଷକ ଆବଶ୍ୟକ ଥିବାବେଳେ ମାତ୍ର ୧୦ ଜଣ ନିଯୁକ୍ତି ପାଇଛନ୍ତି। ବିଶେଷକରି ୫ମ ଓ ୬ଷ୍ଠ ଶ୍ରେଣୀ ପାଠ ପଢାଇବା ପାଇଁ କୌଣସି ବିଜ୍ଞାନ ଶିକ୍ଷକ ନ ଥିବା ଯୋଗୁ ୬ ମାସ ହେବ ଛାତ୍ରୀଛାତ୍ରମାନେ ବିଜ୍ଞାନ ବିଷୟ ପଢିପାରୁନାହାନ୍ତି। ଫଳରେ ସ୍କୁଲରେ ପାଠପଢ଼ା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏହି ବିଦ୍ୟାଳୟର ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ନାକିଚି ଗ୍ରାମବାସୀ ୨ ଡିସେମ୍ବର ୨୦୨୨ରେ ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳିନାହିଁ। ଫଳରେ ମଙ୍ଗଳବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନ ସମ୍ପର୍କରେ ଖବର ପାଇଁ କିଶୋରନଗର ଏବିଇଓ ନରୋତ୍ତମ ପ୍ରଧାନ ପହଞ୍ଚି ୭ ଦିନ ମଧ୍ୟରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।