ଘର ଛାଡ଼ି ଅନ୍ୟ ଛାତଘରେ ଆଶ୍ରୟ ନେଇଛନ୍ତି ଗ୍ରାମବାସୀ

ରାୟଗଡ଼ା ଅଫିସ,୨୩ା୮:ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତର ରାଣୀପଦର ଗ୍ରାମବାସୀ ବିଭିନ୍ନ ସମସ୍ୟାରେ ରହିଛନ୍ତି। ଗାଁର ୨୮ ଘର ମଧ୍ୟରୁ ୧୬ ଘରେ ବର୍ଷାପାଣି ସହ ଝର ସୃଷ୍ଟିହୋଇ କାନ୍ଥ ଓଦା ହୋଇଛି। କେତେବେଳେ କାନ୍ଥ ଭୁଶୁଡ଼ିଲେ ଲେକଙ୍କ ଜୀବନ ଚାଲିଯିବା ଭୟ ରହିଛି। ତେଣୁ ଲୋକେ ନିଜ ଘର ଛାଡ଼ି ଗାଁରେ ଥିବା ଏକ ଛାତଘରେ ଏବଂ ଆଉ କେତଜଣ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ରୋଷେଇ ଘରେ ନ କରିପାରି ଘର ବାହାରେ କରୁଛନ୍ତି। ଅନ୍ୟପକ୍ଷରେ ଗାଁରୁ ଅନ୍ୟତ୍ର ଯିବାକୁ ହେଲେ ଗାଁ ନିକଟସ୍ଥ ଏକ ନାଳ ଅତିକ୍ରମ କରି ଯିବାକୁ ପଡ଼ୁଛି। ବର୍ଷା ଦିନ ଆସିଲେ ଉକ୍ତ ନାଳରେ ପାଣି ବଢ଼ିଗଲେ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଅଯାଇନାହିଁ। ଫଳରେ ଗ୍ରାମବାସୀ ସୋମବାର ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡିଓ ତାପସ କୁମାର ଭୋଇଙ୍କ ଅନୁପସ୍ଥିତିରେ ଏବିଡିଓ ବଳରାମ ପାତ୍ରଙ୍କ ସହ ସମସ୍ୟା ନେଇ ଅଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ରାଣୀପଦର ଗାଁର ହାଲୋ ପ୍ରାସ୍କା, କାସମାଝି କାଡ୍ରାକା, ଅଭି କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ।