ଶାଶୁଘର ଅଗଣାରେ କବର ଦେବାକୁ ଅଡିବସିଛନ୍ତି ଗ୍ରାମବାସୀ

ସାଲେପୁର,୪।୨(ଡି.ଏନ୍‌.ଏ.): ସାଲେପୁର ଥାନା ଅନ୍ତର୍ଗତ ଗୁଆଳିପୁର ଗ୍ରାମର ଜଣେ ନବବଧୂଙ୍କ ଗୁରୁବାର ମୃତ୍ୟୁ ଘଟିଥିଲା। ସେ ହେଲେ ସେଖ୍‌ ରିୟାଜଙ୍କ ଝିଅ ସୁମେୟା ପରୱିନ୍‌। ଶାଶୁଘରେ ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ମାମଲା (ନଂ. ୪୦/୨୩) ରୁଜୁ କରି ଅଭିଯୁକ୍ତ ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତ ଶାଶୁ ଓ ସ୍ବାମୀ ଫେରରା ହୋଇଯାଇଛନ୍ତି। ଅପରପକ୍ଷେ ମୃତ ନବବଧୂଙ୍କ କବର ଦିଆଯିବାକୁ ନେଇ ଶୁକ୍ରବାର ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀ ତାଙ୍କୁ ଶାଶୁଘର ଅଗଣାରେ କବର ଦେବାପାଇଁ ଅଡ଼ିବସିଛନ୍ତି। ଏନେଇ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ସେଠାରେ ୩ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସ୍‌ଡିପିଓ, ତହସିଲଦାର ଏବଂ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ସୁମେୟା ଉକ୍ତ ଗ୍ରାମର ସୟଦ ଆଜାଦ୍‌ଙ୍କୁ ୭ ମାସ ତଳେ ପ୍ରେମ ବିବାହ କରିଥିଲେ। ବିବାହର ମାସେ ପରେ ଶାଶୁଘର ଲୋକେ ୨ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ନବବଧୂଙ୍କ ଉପରେ ଚାପ ପକାଯାଇଥିଲା। ମାତ୍ର ସୁମେୟାଙ୍କ ବାପାଙ୍କ ପାଖରେ ଅର୍ଥ ଅଭାବରୁ କେବଳ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ସକ୍ଷମ ହୋଇଥିଲେ। ଏନେଇ ଶାଶୁଘର ଲୋକେ ସୁମେୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୨ଟା ବେଳେ ସୁମେୟା ତାଙ୍କ ମା’ଙ୍କ ସହ କଥା ହୋଇଥିବାବେଳେ ୩ଟାବେଳେ ସ୍ବାମୀ ତାଙ୍କ ଘରକୁ ଫୋନ କରି ସ୍ତ୍ରୀ ରଶି ଲଗାଇ ଝୁଲିପଡ଼ିଥିବା କହିଥିଲେ। ଖବରପାଇ ସୁମେୟାଙ୍କ ପରିବାର ଲୋକେ ଶାଶୁଘରେ ପହଞ୍ଚତ୍ଲେ ମଧ୍ୟ ସେମାନଙ୍କୁ ଭିତରକୁ ଛଡ଼ାଯାଇ ନ ଥିଲା। ଏହାପରେ ସୁମେୟାଙ୍କ ବାପା ଥାନାରେ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲେ।
ସୁମେୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ କବରକୁ ନେଇ ବିବାଦ ଉପୁଜିଛି। ଖବରପାଇସାଲେପୁର ତହସିଲଦାର ଶିବ ମଲ୍ଲିକ, ଏସ୍‌ଡିପିଓ ବିମଳ କୁମାର ବାରିକ ଓ ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକଙ୍କ ସମେତ ବହୁ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ବୁଝଶୁଝା କରିଛନ୍ତି।