ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଧର୍ମଶାଳା,୨୩ା୧(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତ ଅନ୍ତର୍ଗତ ବଡ଼ଚଣାବାରି ଗ୍ରାମ୍ୟରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇ ଆସୁଥିଲା। ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ ନ କରିବାରୁ ଶେଷରେ ନିଜସ୍ବ ଉଦ୍ୟମରେ ଗ୍ରାମବାସୀ ଉକ୍ତ ରାସ୍ତା ନିର୍ମାଣ କରିଛନ୍ତି।

ପ୍ରାୟ ୧୦ବର୍ଷ ପୂର୍ବେ ବଡ଼ଚଣାବାରି ଗ୍ରାମ୍ୟରାସ୍ତା ନିର୍ମାଣ କରାଯାଇଥିଲା। ତେବେ କୌଣସି କାରଣବଶତଃ ଉକ୍ତ ରାସ୍ତାର ପାଖାପାଖି ୩୦ଫୁଟ ରାସ୍ତା ନିର୍ମାଣ ହୋଇପାରି ନ ଥିଲା। ଫଳରେ ବର୍ଷାଦିନରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଶତାଧିକ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡିଓଙ୍କ ନିକଟରେ ଗୁହାରି କରିଥିଲେ। ହେଲେ କେହି ସେମାନଙ୍କ କଥା ଶୁଣି ନ ଥିଲେ। ଫଳରେ ବାଧ୍ୟହୋଇ ଗ୍ରାମବାସୀ ଟଙ୍କା ଆଦାୟ କରି ରାସ୍ତା ନିର୍ମାଣ କରିଛନ୍ତି। ଏଥିରେ ସନ୍ତୋଷ କୁମାର ଦାସ, ସୁଜିତ୍‌ ଦାସ, ଚନ୍ଦନ ପରିଡ଼ା, ନିତ୍ୟାନନ୍ଦ ପରିଡ଼ା, ବିରଞ୍ଚତ୍ ପରିଡ଼ା ଓ ସଞ୍ଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ।