ଠେଙ୍ଗାପାଳି କରି ଚୋର ଜଗୁଛନ୍ତି ଗ୍ରାମବାସୀ

ବୋଲଗଡ଼,୯।୧୦(ଡି.ଏନ୍‌.ଏ.):ଖୋର୍ଦ୍ଧା ଜିଲା ବୋଲଗଡ଼ ଏବଂ ବେଗୁନିଆ ଥାନା ଅଞ୍ଚଳରେ ଚୋରି ବୃଦ୍ଧି ପାଇବାରେ ଲାଗିଛି। ବେଗୁନିଆ ଥାନା ତଥା ବୋଲଗଡ ବ୍ଲକ ଅଧୀନ ଧଳାପଥର ଫାଣ୍ଡି ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମରେ ଚୋରି ବଢ଼ିଚାଲିଥିବାରୁ ଗ୍ରାମବାସୀ ଠେଙ୍ଗାପାଳି କରି ଗ୍ରାମ ଜଗୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଗ୍ରାମର ବିଭବ ମହାପାତ୍ରଙ୍କ ଘର କବାଟ ତାଲା ଭାଙ୍ଗି ବହୁ ମୂଲ୍ୟବାନ ଆସବାବପତ୍ର ଚୋରି ହୋଇଥିବା ଜଣାପଡିଛି। ଅନୁରୂପଭାବେ ଅଗଷ୍ଟ ୮ରେ ନିରଞ୍ଜନ ମହାପାତ୍ର ଓ ବସନ୍ତ ମାହାପାତ୍ରଙ୍କ ଘର ତାଲା ଭାଙ୍ଗି ଚୋରି ହୋଇଥିବା ବେଳେ ସେପ୍ଟେମ୍ବର ୨ରେ ଗୋକୁଳାନନ୍ଦ ସାହୁଙ୍କ ଘରୁ, ୧୭ ତାରିଖରେ ନକୁଳ ସାହୁଙ୍କ ଘରୁ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିଲା। ସେହିପରି ନିକଟ ଆରିକମା ଗ୍ରାମରୁ ଗତ ୧୯ ତାରିଖରେ ଗ୍ରୀଲ ତାଡ଼ି ୫୦ ହଜାର ଟଙ୍କା ସହ ପ୍ରାୟ ୧୦ଲକ୍ଷ ଟଙ୍କାର ସୁନାଗହଣା ଚୋରି ହୋଇଛି। ଗତ ୨୭ ତାରିଖରେ ସାନକୁମ୍ଭାରୀ ଗ୍ରାମରେ ଜଣଙ୍କ ଘରୁ ଟଙ୍କା ଓ ସୁନା ଓ ଅକ୍ଟୋବର୍‌ ୩ ରେ ୫୮ ନମ୍ବର ରାଜ୍ୟ ରାଜପଥର ଗେଡିଆପଲ୍ଲୀ ଛକ ନିକଟରୁ ଜନୈକ ବ୍ୟବସାୟୀଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ଲୁଟ ପରି ଘଟଣା ବୃଦ୍ଧି ପାଇଥିଲେ ମଧ୍ୟ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ଚେଷ୍ଟା କରି ମଧ୍ୟ କୌଣସି ସୁରାକ ପାଇ ପାରିନାହିଁ। ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳତା ନେଇ ପୋଲିସ ଉପରୁ ସାଧାରଣ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ଫଳରେ ଠଣାପଲ୍ଲୀ ଗ୍ରାମରେ ଠେଙ୍ଗାପାଳି ଆରମ୍ଭ ହୋଇଛି। ଗ୍ରାମବାସୀ ପାଳି କରି ଠେଙ୍ଗା ଧରି ରାତିରେ ଚୋର ଜଗୁଛନ୍ତି। ତୁରନ୍ତ ପୋଲିସ ପ୍ରଶାସନ ତତ୍ପରତା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।