ଗାଁ ବୁଲିଲେ, ଚାପ ଖେଳିଲେ

ଛେଣ୍ଡିପଦା,୨୫।୫(ସ୍ବ.ପ୍ର.)
ପୋଖରୀରେ ଠାକୁରଙ୍କ ଚାପଖେଳ ବେଳେ ସୋମବାର ରାତିରେ କାଳବୈଶାଖୀ ବର୍ଷା ଛେଣ୍ଡିପଦା ଚନ୍ଦନଯାତ୍ରାରେ ବାଧା ସୃଷ୍ଟି କରିଛି। ପ୍ରକାଶ ଯେ, ସା ସମୟରେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ହେଲେ ରାତି ୮ଟା ବେଳେ କାଳବୈଶାଖୀ ବର୍ଷା ଯୋଗୁ ପ୍ରାୟ ୧ଘଣ୍ଟା ଧରି ଯାତ୍ରା ଫିକା ପଡିଯାଇଥିଲା। ବର୍ଷା ଛାଡିବା ପରେ ଏକ ସୁସଜ୍ଜିତ ବିମାନରେ ଗ୍ରାମର ରାଧାକୃଷ୍ଣ ମନ୍ଦିରରୁ ଠାକୁରଙ୍କ ବିରାଟ ପାଟପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଯାତ୍ରା ପଡିଆ ପୂଜା ମଣ୍ଡପକୁ ନିଆଯାଇଥିଲା। ଏହି ଶୋଭାଯାତ୍ରା ବେଳେ ଘଣ୍ଟ, ଶଙ୍ଖ, ବାଦ୍ୟ, ନାମସଂକୀର୍ତ୍ତନରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ଯାତ୍ରା କମିଟି, ଯୁବମଞ୍ଚ, ବଜାର କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା। ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ଯାତ୍ରା କାର୍ଯ୍ୟକ୍ରମରେ ଉପସଭାପତି ସୁଦୀପ୍ତ ପ୍ରଧାନ, ସମ୍ପାଦକ ରବୀନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବିପିନବିହାରୀ ପ୍ରଧାନ, ଉପଦେଷ୍ଟା କମିଟି ସଭ୍ୟ ଓ ଗ୍ରାମ ବେହେରା ବୃନ୍ଦ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ। ବଜାର ସମେତ ଯାତ୍ରା ପଡିଆ ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଥିବାବେଳେ ବହୁ ସଂଖ୍ୟାରେ ଅସ୍ଥାୟୀ ଦୋକାନ ଓ ମିନାବଜାର ଖୋଲାଯାଇଥିଲା। ଛେଣ୍ଡିପଦା ପ୍ରଧାନସାହି ପକ୍ଷରୁ ଭକ୍ତମାନଙ୍କ ପାଇଁ ଅନ୍ନ ଭୋଗ, ଯୁବମଞ୍ଚ ପକ୍ଷରୁ ମୃଦ୍ୟୁ ପାନୀୟ, ସତ୍ୟସାଇ ସେବା ସଙ୍ଗଠନ ପକ୍ଷରୁ ଥଣ୍ଡା ପାନୀୟ ଜଳ ଭକ୍ତମାନଙ୍କ ପାଇଁ ଯୋଗାଇ ଦିଆଯାଇଥିଲା। ସେହିପରି ବିଭିନ୍ନ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ତେବେ ଯାତ୍ରା ଚାଲିଥିବା ବେଳେ ରାତି ୧ଟା ବେଳେ ପୁଣି ଘଡଘଡି ସହିତ ପ୍ରବଳ ବର୍ଷା ପବନ ହୋଇଥିଲା। ବର୍ଷା ଛାଡ଼ିବା ପରେ ଭୋର୍‌ ୪ଟାରେ ଗ୍ରାମବାସୀଙ୍କ ପକ୍ଷରୁ ରୀତିନୀତି ଅନୁଯାୟୀ ମନ୍ଦିର ପୋଖରୀରେ ଚାପ ଖେଳ ଅନୁଷ୍ଠିତ ହୋଇଥିଲା। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଥିବା ବେଳେ କମିଟି ପକ୍ଷରୁ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ।