ଗାଁ ରାସ୍ତା ଅବରୋଧ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

କୋଡ଼ପଡା,୨୪ା୬(ରଞ୍ଜିତ କୁମାର ରଣା): ଗାଁକୁ ଭଲ ରାସ୍ତା ଥାଇ ମଧ୍ୟ ରୋଗୀଙ୍କ ଘରେ ପହଞ୍ଚତ୍ ପାରିଲାନି ଆମ୍ବୁଲାନ୍ସ। ଅସୁସ୍ଥ ବୃଦ୍ଧାଙ୍କୁ ୨୦୦ମିଟର ଟେକି ଟେକି ନେଲେ ଗ୍ରାମବାସୀ। କେତେକ ଗ୍ରାମବାସୀ ରାସ୍ତା ଉପରେ ଘର କରି ଅବରୋଧ କରିଥିବାରୁ ଜରୁରୀକାଳିନ ସମୟରେ ମଧ୍ୟ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡ଼ି ସାହି ଭିତରକୁ ପ୍ରବେଶ କରିପାରୁନାହିଁ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଜଳସୁଅଁା ଗ୍ରାମର କୁରାଳ ସାହିରେ।
ଉକ୍ତ ସାହିରେ ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ହେଲେ ସୁବିଧା ଅସୁବିଧା ସମୟରେ ସାହି ଭିତରକୁ ଚାରି ଚକିଆ ଗାଡ଼ି ନ ଯାଇ ପାରିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଗ୍ରାମର ପାଗଳ ରଣାଙ୍କ ମା’ ଚହଟି ରଣାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା। ଏ ନେଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ କୁରାଳ ସାହିର  କେତେକ ବାସିନ୍ଦା ବେଆଇନ ଭାବେ ରାସ୍ତା ଉପରେ ଘର କରିବା ସହ ଘର ଆଗରେ ବଡ଼ ବଡ଼ ପଥର ରଖିଥିବାରୁ ରୋଗୀଙ୍କ ଘର ପାଖକୁ ଆମ୍ବୁଲାନ୍ସ ଯାଇ ପାରି ନ ଥିଲା। ଫଳରେ ଗ୍ରାମର କିଛି ମହିଳା ଓ ପୁରୁଷଙ୍କ ସହଯୋଗରେ ବୃଦ୍ଧା ଜଣଙ୍କୁ ମୁଖ୍ୟ ରାସ୍ତାକୁ ଟେକି ଟେକି ଅଣାଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା।  ଏଥି ପ୍ରତି ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।