ନିର୍ମାଣ ହେଉନି ବଢ଼େଇପୁର ଗ୍ରାମ ରାସ୍ତା

ଆର.ଉଦୟଗିରି,୯ା୫(ଡି.ଏନ.ଏ.): ମୋହନା ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଏହି ବ୍ଲକର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇଥାନ୍ତି । କିନ୍ତୁ ସ୍ଥାନୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ ଉନ୍ନତିମୂଳକ ଯୋଜନାଗୁଡିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହି ଅଞ୍ଚଳର ଉନ୍ନତି ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ବିଜୁ କନ୍ଧମାଳ ଏବଂ ଗଜପତି ଯୋଜନା ଆରମ୍ଭ କରିଛନ୍ତି। ମୋହନା ବ୍ଲକ ସଦର ମହକୁମା ମୋହନା ଗ୍ରାମ ପଞ୍ଚାୟତଠାରୁ ମାତ୍ର କିଛି ମିଟର ଦୂରରେ ଥିବା ବଢ଼େଇପୁର ଗ୍ରାମକୁ ଯିବାକୁ ହେଲେ ଏକ ଛୋଟିଆ ନାଳ ପଡୁଛି। ସେହି ନାଳ ବର୍ଷାଦିନ ହେଲେ ଗ୍ରାମରେ ରହୁଥିବା ଶତାଧିକ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେବାରୁ ସ୍ଥାନୀୟ ଲୋକଙ୍କ ଦାବିକୁ ଗ୍ରହଣ କରି ଏକ ଛୋଟିଆ ପକ୍କା ପୋଲ ନିର୍ମାଣ ନିମନ୍ତେ ଯୋଜନା ପ୍ରସ୍ତୁତ କରି ଅର୍ଥ ଅନୁଦାନ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲାଣି ଆସିଲାଣି। କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତା ସଂଯୋଗ ନିମନ୍ତେ ଉକ୍ତ ଯୋଜନାରେ ୬ ଲକ୍ଷ ଟଙ୍କା ଆସି ପଡିରହିଥିବା ଗ୍ରାମବାସୀ ପ୍ରକାଶ କରିଥିଲେ ମଧ୍ୟ ଉକ୍ତ କାର୍ଯ୍ୟ କେବେ ଆରମ୍ଭ ହେବ ସନ୍ଦେହରେ ଥିବା ପ୍ରକାଶ। ସ୍ଥାନୀୟ ବିଡିଓ ସ୍ବତନ୍ତ୍ର ଦୃଷ୍ଟିଦେଇ ରାସ୍ତା ନିର୍ମାଣ କଲେ ଅଞ୍ଚଳବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି।