ଜେଇ ଟଙ୍କା ନେଉଥିବା ଭିଡିଓ ଭାଇରାଲ

ବାଲେଶ୍ୱର ଅଫିସ,୧୨।୫: ବାଲେଶ୍ୱର ଜିଲାର ରେମୁଣା ବ୍ଲକ ଜେଇ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ଏକ ଭିଡ଼ିଓ ଭାଇରାଲ୍‌ ହେଉଛି। ଏହାକୁ ନେଇ ଉପରିସ୍ଥ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜେଇ ଜଣକ ତାଙ୍କ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଛନ୍ତି।
ବ୍ଲକ କୁଳିଗାଁ ପଞ୍ଚାୟତରେ ୧ଲକ୍ଷ ଟଙ୍କାରେ ରାସ୍ତାକାମ ପାଇଁ ଜଣେ ଠିକାଦାରଙ୍କଠାରୁ ସମ୍ପୃକ୍ତ ଜେଇ ୧୫ ହଜାର ଟଙ୍କାର ପିସି ଦାବି କରିଥିଲେ। ଠିକାଦାର ଜେଇଙ୍କୁ ଟଙ୍କା ଦେବା ସମୟରେ ଗୁପ୍ତରେ ଭିଡ଼ିଓ କରି ଭାଇରାଲ କରିଛନ୍ତି। ଏହି ଭିଡ଼ିଓରେ ଜେଇ ମଧ୍ୟ ୩୦ଟି ୫ଶହ ଟଙ୍କିଆ ନୋଟ ଗଣି ନେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଜିଲାରେ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବାବେଳେ ଜେଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।