୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ ସୋମବାର ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ସେ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମର ଗାଣ୍ଡୁ ଗୌଡ। ଦୀର୍ଘ ୧୯ ବର୍ଷ ଧରି ଏହି ମାମଲାର ବିଚାରଣ ଭଞ୍ଜନଗର କୋର୍ଟରେ ଚାଲିଥିଲା।
ଘଟଣାରୁ ପ୍ରକାଶ ଯେ, ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କନ୍ଧୁଣୀ ମହାକୁଡ଼ଙ୍କ ଝିଅ ବବି ୨୦୦୧ ମସିହାରେ ଗାଣ୍ଡୁଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ସ୍ବାମୀ ସ୍ତ୍ରୀ ଭଲରେ ରହିଥିଲେ। ଏହି ସମୟରେ ସେମାନଙ୍କର ୩ ଟି ସନ୍ତାନ ଥିଲେ। ଏହିଭଳି ପରିସ୍ଥିତିରେ ଗାଣ୍ଡୁ ପୁଣି ଯୌତୁକ ଆଣିବା ପାଇଁ ସ୍ତ୍ରୀ ଉପରେ ଚାପ ପକାଇଥିଲେ। କିନ୍ତୁ ମା’ଙ୍କ ଆର୍ଥିକ ସ୍ଥିତି ଭଲ ନ ଥିବା ସ୍ତ୍ରୀ ବାପ ଘରୁ ଆଉ ଅଧିକ ଯୌତୁକ ଆଣି ପାରି ନ ଥିଲେ। ତେଣୁ ଗାଣ୍ଡୁ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏଥିସହ ୨୦୦୭ ମସିହା ସେପ୍ଟେମ୍ବର ମାସ ୨୩ ତାରିଖରେ ବବିଙ୍କୁ ଗାଣ୍ଡୁଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏନେଇ ପୋଲିସ ସେ ସମୟରେ ଯୌତୁକ ଜନିତ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଗାଣ୍ଡୁଙ୍କୁ ଗିରଫ କରିଥିଲେ। ଏହାପରେ ସେ ହାଇକୋର୍ଟରୁ ଜାମିନରେ ଯାଇଥିଲେ। ଆଜି ୯ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ସ୍ବାମୀଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଛି। ମୁଦଲାଙ୍କ ପକ୍ଷରୁ ଆଇନଜୀବୀ ଈଶ୍ୱର ଚନ୍ଦ୍ର ମହାରଣା, ରାଜେଶ୍ୱର୍‌ ରାଓ ଆଚାରୀ, ଚନ୍ଦ୍ରମଣି ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

 

Dharitri – Odisha’s No.1 Odia Daily

 

Share