ଅଡ଼େଇ ଲକ୍ଷ ଟଙ୍କାର ଶାଗୁଆନ ଗଣ୍ଡି ସହ ଗାଡ଼ି ଜବତ

ବୁଗୁଡ଼ା,୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବନବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଠଣାପଲୀ ନିକଟରେ ଗୋଟିଏ ଟାଟାଏସି ଗାଡି ସହିତ ସେଥିରେ ଥିବା ଅଢେଇ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଗୁଆନ ଗଣ୍ଡି ଜବତ ହୋଇଛି। ଦଖିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ବେହୁରାଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଛି।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନାଗିରୀ ରିଜର୍ଭ ଜଙ୍ଗଲରୁ ଗାଡ଼ିରେ ଶାଗୁଆନ ଗଣ୍ଡି ଚୋରା ଚାଲାଣ କରୁଥିଲେ। ତେବେ ଖବରପାଇ ବୁଗୁଡା ବନାଞ୍ଚଲ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ସୁବ୍ରତ କୁମାର ତ୍ରିପାଠୀ ପ୍ରମୁଖ ଗାଡି ପିଛା କରି ଠଣାପଲୀ ନିକଟରେ ଉକ୍ତ ଗାଡ଼ି ସହିତ ସେଥିରେ ଥିବା ଅଡ଼େଇ ଲକ୍ଷ ଟଙ୍କାର ୨୫ ଘନଫୁଟ ଶାଗୁଆନ ଗଣ୍ଡି ଜବତ କରିଛନ୍ତି। ତେବେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଖସି ପଳାଇଛନ୍ତି।