ରାତି ସୁଦ୍ଧା ସବୁ ଜିଲାରେ ପହଞ୍ଚିବ ଟିକା

ଭୁବନେଶ୍ବର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହାକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଓଡ଼ିଶାରେ ଏବେ ତିନି ପ୍ରକାର ଟିକାକରଣ ପ୍ରକ୍ରିୟା ଜାରି ରହିଛି। ବିଭିନ୍ନ ଜିଲାରେ କୋଭିସିଲ୍ଡର ମାତ୍ର ୬୦ ହଜାର ଟିକା ଥିଲା। ବୁଧବାର ରାତିରେ କେନ୍ଦ୍ରକୁ ୩ ଲକ୍ଷ ଓ ଗୁରୁବାର ସକାଳେ ୪.୮ ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୭ ଲକ୍ଷ ୮୦ ହଜାର ଟିକା ମହଜୁଦ ରହିଛି । ବିଭିନ୍ନ ଜିଲାରୁ ଟିକା ଭ୍ୟାନ ଆସିଗଲାଣି। ରାତି ସୁଦ୍ଧା ସବୁ ଜିଲାରେ ଟିକା ପହଞ୍ଚିବ। ଫଳରେ ଶୁକ୍ରବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ଟିକାକରଣ ହେବ। ସେହିପରି କର୍ବିଭାକ୍ସ ଟିକା ଯାହାକି ୧୪ ବର୍ଷ ବର୍ଗଙ୍କୁ ଦିଆଯାଉଛି। ଏହାର ପ୍ରଥମ ଡୋଜ ୯୯.୮ ପ୍ରତିଶତ ନେଇ ସାରିଛନ୍ତି। ସେହିପରି ଦ୍ୱିତୀୟ ଡୋଜ ଟିକାକରଣ ମଧ୍ୟ ଚାଲିଛି। ୧୫୦୦ ସରକାରୀ କେନ୍ଦ୍ରରେ ଟିକାଦାନ ଚାଲିଛି। ଟିକା କମ୍‌ ଥିବାରୁ କମ ଟିକାକରଣ କେନ୍ଦ୍ର ଖୋଲାଯାଇଥିଲା। ଶୁକ୍ରବାରଠାରୁ ୨୫୦୦ରୁ ୩ ହଜାର କେନ୍ଦ୍ରରେ ଟିକା ଦିଆଯିବ ବୋଲି ସେ କହିଛନ୍ତି।